ଆଇସିସି ମହିଳା ବିଶ୍ୱକପ୍: ଦ୍ୱିତୀୟ ମ୍ୟାଚ୍ରେ ହାରିଲା ଭାରତ

ହାମିଲଟନ୍‌ : ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ସହଜରେ ପରାସ୍ତ କରିଥିଲେ ମଧ୍ୟ ଆୟୋଜକ ନ୍ୟୁଜିଲାଣ୍ଡ୍‌ଠାରୁ ଦ୍ୱିତୀୟ ମୁକାବିଲାରେ ଭାରତ ୬୨ ରନ୍‌ରେ ପରାସ୍ତ ହୋଇଛି ।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇଥିବା ନ୍ୟୁଜିଲାଣ୍ଡ୍ ଆମି ସାତରଥ୍ୱେଟଙ୍କ ଆକର୍ଷଣୀୟ ୭୫ ରନ୍‌ର ବଳିଷ୍ଠ ଇନିଂସ ସହାୟତାରେ ୯ ୱିକେଟ୍ ବିନିମୟରେ ୨୬୦ ରନ୍ କରିଥିଲା । ଏହାର ଜବାବରେ ଭାରତ ୪୬.୪ ଓଭର୍‌ରେ ୧୯୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ୨୬୧ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିଲେ ହେଁ ଭାରତୀୟ ବ୍ୟାଟ୍ସଓମ୍ୟାନ୍‌ମାନେ ପ୍ରଥମ ୧୫ ଓଭର୍‌ରେ ୬୭ଟି ଡଟ୍ ବଲ୍ ଖେଳିବା ସହ ୨୦ ଓଭର୍‌ରେ ୫୦ ରନ୍ ପୂରଣ କରିଥିଲେ ।

ଓପନର ସୁଜି ବେଟ୍ସଙ୍କୁ ଗତ ମ୍ୟାଚ୍‌ର ତାରକା ଖେଳାଳି ପୂଜା ବସ୍ତ୍ରାକାର ରନଆଉଟ୍ କରିଥିଲେ ହେଁ ଅନ୍ୟତମ ଓପନର ତଥା ଅଧିନାୟିକା ସୋଫି ଡିଭାଇନ୍ ସାଥୀ ବ୍ୟାଟ୍ସଓମ୍ୟାନ୍ ଆମେଲିଆ କେରଙ୍କ ସହ ୪୫ ରନ୍ ଯୋଡ଼ିଥିଲେ । ୭ଟି ଚୌକା ସହ ୩୫ ରନ୍‌ରେ ଡିଭାଇନ୍ ଆଉଟ୍ ହେବା ଫଳରେ ଭାରତ ପାଇଁ ଦ୍ୱିତୀୟ ୱିକେଟ୍‌ଟି ପକାଇଥିଲେ ବସ୍ତ୍ରାକାର । ବ୍ୟକ୍ତିଗତ ଭାବେ ସାଥରଥ୍ୱେଟ୍ ୯ଟି ଚୌକା ସହ ୭୫ ରନ୍ କରି ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର୍ ୨୨୪ରେ ପହଞ୍ଚିସାରିଥିଲା । କେର୍ ୫ଟି ଚୌକା ସହ ୫୦ ଏବଂ ଗ୍ରୀନ୍ ୩ଟି ଚୌକା ସହ ୨୭ ରନ୍‌ର ଯୋଗଦାନ ଦେଇଥିଲେ । ଏହାପରେ ଭାରତୀୟ ବୋଲରମାନେ କ୍ରମାଗତ ୱିକେଟ୍‌ମାନ ନେଇଚାଲିଥିଲେ ମଧ୍ୟ ଦଳୀୟ ସ୍କୋର୍କୁ କାଟେ ମାର୍ଟିନ୍ ବଢ଼ାଇ ଚାଲିଥିଲେ । ଭାରତ ପକ୍ଷରୁ ବସ୍ତ୍ରାକାର ସର୍ବାଧିକ ୪ଟି, ରାଜେଶ୍ୱରୀ ଗାଏକ୍ୱାଡ୍ ୨ଟି ଓ ଝୁଲନ୍ ଗୋସ୍ୱାମୀ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଟୁର୍ଣ୍ଣାମେଣ୍ଟ୍‌ରେ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ପାକିସ୍ତାନ ଓ ସାଉଥ୍ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।

Leave A Reply

Your email address will not be published.