ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ହାମିଲ୍‌ଟନ୍‌ : ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିବା ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ଗୁରୁବାର ଆୟୋଜକ ନ୍ୟୁଜିଲାଣ୍ଡକୁ ଭେଟିବ । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍‌ରେ ଭାରତୀୟ ଟିମ୍ ପାଞ୍ଚଟି ମ୍ୟାଚ୍‌ରୁ ଚାରିଟିରେ ପରାଜିତ ହୋଇଥିଲା । ଗୁରୁବାରର ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଏହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ । ଏହି ସିରିଜ୍‌ରେ ସୋଫି ଡିଭାଇନ୍‌ଙ୍କ ଟିମ୍ ଭାରତକୁ ସମସ୍ତ ବିଭାଗରେ ଦୁର୍ବଳ ପ୍ରମାଣିତ କରିଥିଲା, ଯାହା ମୁଖ୍ୟ କୋଚ୍ ରମେଶ ପୱାରଙ୍କ ଚିନ୍ତାର ବିଷୟ ହୋଇଛି ।

୨୭୦ କିମ୍ବା ୨୮୦ ରନ୍ କରି ମଧ୍ୟ ଜିତି ନପାରି ବିଶ୍ୱକପ୍ ପୂର୍ବରୁ ଭାରତ ଏହାର ଅନୁମାନ କରିସାରିଛି । ଶେଫାଳୀ ବର୍ମାଙ୍କ ଖରାପ ଫର୍ମ ଟିମ୍ ପାଇଁ କ୍ଷତିକାରକ ହୋଇଛି । ଶେଫାଳୀ ଗତ ସାତଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବାକି ଛଅ ମ୍ୟାଚ୍‌ରେ ବିଫଳ ହୋଇଥିଲେ । ଅବଶ୍ୟ ସେ ଶୀଘ୍ର ଲୟକୁ ଫେରିବେ ବୋଲି ଭେଟେରାନ୍ ପେସର୍ ଝୁଲନ୍ ଗୋସ୍ୱାମୀ ମ୍ୟାଚ୍ ପୂର୍ବ ଭର୍ଚୁଆଲ୍ ପ୍ରେସ୍ କନ୍‌ଫରେନ୍ସରେ କହିଛନ୍ତି । କ୍ୟାପ୍‌ଟେନ୍ ମିତାଲି ରାଜ୍ ମଧ୍ୟ ପାକିସ୍ତାନ ବିପକ୍ଷରେ ସଫଳ ହୋଇନଥିଲେ ।

ସେହିପରି ହରମନ୍‌ପ୍ରୀତ୍ ମଧ୍ୟ ଦୀର୍ଘ ସମୟ ଧରି ଉନ୍ନତ ପ୍ରଦର୍ଶନ କରିନାହାନ୍ତି । ଇନିଂସ୍ ମଧ୍ୟଭାଗରେ ଷ୍ଟ୍ରାଇକ୍ ରୋଟେଟ୍ କରିନପାରିବା ଫଳରେ ଅନ୍ତିମ ଓଭର୍‌ରେ ଟିମ୍ ଉପରେ ଚାପ ସୃଷ୍ଟି ହେଉଛି । ସ୍ମୃତି ମନ୍ଧାନା ବର୍ତ୍ତମାନ ଉନ୍ନତ ଫର୍ମରେ ଥିବାରୁ ତାଙ୍କଠାରୁ ଟିମ୍ ବଡ଼ ସ୍କୋର୍ ଆଶା କରିବ । ତେବେ ଭାରତର ସବୁଠୁ ବଡ଼ ଶକ୍ତି ହେଉଛନ୍ତି ଅଲ୍‌ରାଉଣ୍ଡର୍ ଦୀପ୍ତି ଶର୍ମା, ସ୍ନେହ ରାଣା ଓ ପୂଜା ବସ୍ତ୍ରାକାର । ଏମାନେ ମ୍ୟାଚ୍‌ର ଫଳାଫଳ ବଦଳାଇବା କ୍ଷମତା ରଖିଛନ୍ତି । ଅନ୍ୟପକ୍ଷରେ ବୋଲିଂ ମଧ୍ୟ ଭାରତ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି । ଡିଭାଇନ୍‌, ସୁଜି ବେଟ୍ସ, ଏମି ସାଥରୱେଟ୍ ଓ ଏମାଲିଆ କେର୍‌ଙ୍କ ବିପକ୍ଷରେ ବୋଲିଂ କରିବା ଏତେ ସହଜ ହେବନାହିଁ । ଗତ ଏକବର୍ଷ ଧରି ଉନ୍ନତ ଫର୍ମରେ ଥିବା ଝୁଲନ୍ ଗୋସ୍ୱାମୀଙ୍କୁ ଅନ୍ୟ ବୋଲର୍‌ଙ୍କ ସହଯୋଗର ଆବଶ୍ୟକତା ହେବ । ଏପରି ସ୍ଥିତିରେ ସ୍ପିନର୍ ରାଣା, ଦୀପ୍ତି ଏବଂ ରାଜେଶ୍ୱରୀ ଗାଏକ୍‌ୱାଡ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବେ ।

Leave A Reply

Your email address will not be published.