ଆଇସିସି ମହିଳା ବିଶ୍ୱକପ୍: ଇଂଲଣ୍ଡ ୭ ରନ୍ରେ ପରାସ୍ତ

ଡୁନେଡିନ୍‌ : ଚଳିତ ଆଇସିସି ମହିଳା ବିଶ୍ୱକପ୍‌ର ସପ୍ତମ ମ୍ୟାଚ୍‌ରେ ବୁଧବାର ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ୭ ରନ୍‌ର ରୋମାଞ୍ଚକର ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମେ ୬ ୱିକେଟ୍ ବିନିମୟରେ ୨୨୫ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୪୭.୪ ଓଭର୍‌ରେ ୨୧୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଟୁର୍ଣ୍ଣାମେଣ୍ଟ୍‌ରେ ୱେଷ୍ଟଇଣ୍ଡିଜ୍‌ର ଏହା ଲଗାତାର ଦ୍ୱିତୀୟ ବିଜୟ ।

ଟସ୍ ଜିତି ବ୍ୟାଟିଂ ନେଇଥିôବା ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓପ୍ନର୍ ଡିୟାଣ୍ଡ୍ରା ଡଟିନ୍ ଓ ହେଲେ ମାଥ୍ୟୁଜ୍ ପ୍ରଥମ ୱିକେଟ୍ ପାଇଁ ୮୧ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ । ଡିୟାଣ୍ଡ୍ରା ୬୪ ବଲ୍‌ରେ ୩୧ ରନ୍‌ର ଇନିଂସ୍ ଖେଳିଥିବା ବେଳେ ମାଥ୍ୟୁଜ୍ ୫୮ ବଲ୍‌ରେ ୪୫ ରନ୍‌ର ଯୋଗଦାନ କରିଥିଲେ। ଏହା ବ୍ୟତୀତ ଶେମେନ୍ କ୍ୟାମ୍ପ୍‌ବେଲ୍ ୮୦ ବଲ୍‌ରେ ୬୬ ରନ୍‌ର ଆକର୍ଷଣୀୟ ଇନିଂସ୍ ଖେଳିଥିଲେ । ଶେଷ ଆଡ଼କୁ ଚେଡିୟନ୍ ନେଶନ୍ ୭୪ ବଲ୍‌ରେ ୪୯ ରନ୍ କରି ଟିମ୍‌କୁ ଏକ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ୍ ସର୍ବାଧିକ ୩ ୱିକେଟ୍ ହାସଲ କରିଥିଲେ । ଏହା ବ୍ୟତୀତ ନତାଲି ସିଭର୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା । ଶେମେନ୍ କ୍ୟାମ୍ପ୍‌ବେଲ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ସିରିଜ୍ ମନୋନୀତ କରାଯାଇଥିଲା । ୨୨୬ ରନ୍‌ର ପିଛା କରୁଥିବା ଇଂଲଣ୍ଡ ଓପ୍ନର୍ ଲରିନ୍ ୱିନ୍‌ଫିଲ୍ଡ ହିଲ୍ ଓ ଟାମି ବ୍ୟୁମଣ୍ଟ ସର୍କତାର ସହ ଇଂଲଣ୍ଡ ଇନିଂସ୍ ଆରମ୍ଭ କରିଥିଲେ । ମାତ୍ର ୱିନ୍‌ଫିଲ୍ଡ ୧୨ ରନ୍ କରିଥିବା ବେଳେ ଶାମିଲିଆ କୋନେଲ୍‌ଙ୍କ ବଲ୍‌ରେ ଡଟିନ୍‌ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ବ୍ୟୁମଣ୍ଟ୍ ଇନିଂସ୍ ସମ୍ଭାଳିବାକୁ ଉଦ୍ୟମ କରିଥିଲେ ମଧ୍ୟ ୪୬ ରନ୍‌ରେ ଅନୀସା ମହମ୍ମଦଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଶାମିଲିଆ କୋନେଲ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ହେଲେ ମାଥ୍ୟୁଜ୍ ଓ ଅନୀସା ମହମ୍ମଦଙ୍କୁ ଦୁଇଟି ସଫଳତା ମିଳିଥିଲା । ସେହିପରି କ୍ୟାପ୍‌ଟେନ୍ ଷ୍ଟୋଫାନି ଟେଲର୍ ଓ ଆଲିଆ ଆଲେନେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Leave A Reply

Your email address will not be published.