ଆଇପିଏଲ୍-୧୫: ଟାଇଟାନ୍ସରେ ସାମିଲ ହେବେ ଗୁର୍ ବାଜ୍!

ନୂଆଦିଲ୍ଲୀ : ଆଇପିଏଲ୍‌ର ନୂଆ ଟିମ୍ ଗୁଜରାଟ ଟାଇଟାନ୍ସ ଆଗାମୀ ସିଜନ୍‌ରେ ଜେସନ୍ ରୟଙ୍କ ବଦଳ ଖେଳାଳି ଭାବେ ଆଫଗାନିସ୍ତାନ ହାର୍ଡହିଟର୍ ଓପ୍ନର୍ ରହମତୁଲ୍ଲା ଗୁର୍‌ବାଜ୍‌ଙ୍କୁ ସାମିଲ କରିପାରେ । ସୂଚନାଯୋଗ୍ୟ, ଦୀର୍ଘ ସମୟ ଧରି ବାୟୋ ବବଲ୍‌ରେ ରହିବାକୁ ଚାହୁଁ ନଥିବା ଜେସନ୍ ରୟ ଆଇପିଏଲ୍‌ରେ ନାମ ପ୍ରତ୍ୟାହାର କରିନେଇଥିଲେ । ଟି-୨୦ ଫର୍ମାଟ୍‌ରେ ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ଥିବା ଗୁରବାଜ୍ ଜଣେ ଭଲ ୱିକେଟ୍‌କିପର୍ ମଧ୍ୟ ।

ବଲ୍‌କୁ ବାଉଣ୍ଡାରୀ ପାର୍ କରାଇବା କ୍ଷମତା ଏହି ୨୦ ବର୍ଷୀୟ ଖେଳାଳିଙ୍କ ଅନ୍ୟତମ ବିଶେଷତ୍ୱ । ସେ ବର୍ତ୍ତମାନ ସୁଦ୍ଧା ୬୯ ଟି-୨୦ ମ୍ୟାଚ୍‌ରେ ୧୧୩ଟି ଛକା ସାମିଲ ଅଛି । ବିକଳ୍ପ ଭାବେ ତାଙ୍କୁ ଟିମ୍‌ରେ ସାମିଲ କରିବା ପାଇଁ ଗୁଜରାଟ ଟାଇଟାନ୍ସ ଏବେ ବିସିସିଆଇର ସବୁଜ ସଙ୍କେତକୁ ଅପେକ୍ଷା କରିଛି । ଜଣାଯାଇଛି ଯେ ଆଫଗାନିସ୍ତାନ ଷ୍ଟାର୍ ସ୍ପିନର୍ ରଶିଦ୍ ଖାନ୍‌ଙ୍କ ପରାମର୍ଶରେ ଟିମ୍ ଗୁର୍‌ବାଜ୍‌ଙ୍କୁ ଟିମ୍‌ରେ ସାମିଲ କରିବାକୁ ଯାଉଛି । ସେହିପରି ଗୁର୍‌ବାଜ୍‌ଙ୍କ ସାମିଲ ଫଳରେ ଟିମ୍‌ର ଅନ୍ୟ ଏକ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ଅଷ୍ଟ୍ରେଲିଆର ମାଥ୍ୟୁ ୱେଡ୍ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ସପ୍ତାହରେ ହିଁ ଟିମ୍ ସହିତ ଯୋଗଦେବେ । ଏପରି ସ୍ଥିତିରେ ଜଣେ ମାତ୍ର ୱିକେଟ୍‌କିପର୍ ଋଦ୍ଧିମାନ ସାହା ଟିମ୍‌ରେ ରହିବେ। ତାଙ୍କର ଟି-୨୦ ରେକର୍ଡ ଭଲ ନଥିବା ବେଳେ ତାଙ୍କୁ ବାଧ୍ୟହୋଇ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ହେବ । ଏହା ପୂର୍ବରୁ ଗୁର୍‌ବାଜ୍‌ଙ୍କର ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳିବାର ଅନୁଭବ ରହିଛି । ସେ ପାକିସ୍ତାନ ସୁପର୍ ଲିଗ୍‌ରେ ମୁଲ୍‌ତାନ ସୁଲ୍‌ତାନ୍ସ, ଲଙ୍କା ପ୍ରିମିୟର୍ ଲିଗ୍‌ର କାଣ୍ଡି ଟସ୍କର୍ସ ଏବଂ ବାଂଲାଦେଶ ପ୍ରିମିୟର୍ ଲିଗ୍‌ର ଖୁଲ୍‌ନା ଟାଇଗର୍ସ ପକ୍ଷରୁ ଖେଳିଛନ୍ତି ।

Leave A Reply

Your email address will not be published.