ମୃତ୍ୟୁ ପୂର୍ବରୁ ସ୍ୱାଭାବିକ ଥିଲେ ୱାର୍ଣ୍ଣ

କୋହ ସାମୁଇ : ଗତ ଶୁକ୍ରବାର ଥାଇଲାଣ୍ଡ୍‌ର କୋହ ସାମୁଇସ୍ଥିତ ସମୁଜନ ଭିଲ୍ଲାସ୍ ନାମକ ଏକ କଟେଜ୍‌ରେ ଛୁଟି କଟାଇବା ସକାଶେ ଯାଇଥିବା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର୍ ଶେନ୍ ୱାର୍ଣ୍ଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଏହି ମହାନ୍ ଖେଳାଳିଙ୍କୁ ବଞ୍ଚାଯାଇପାରି ନ ଥିଲା ।

ତେବେ ତାଙ୍କ ମୃତ୍ୟୁର ତିନି ଦିନ ପରେ ୱାର୍ଣ୍ଣଙ୍କ ସମ୍ପର୍କରେ ତାଙ୍କର ଜଣେ ବନ୍ଧୁ ସବିଶେଷ ବିବରଣୀ ଦେଇଛନ୍ତି । ୱାର୍ଣ୍ଣ ଛୁଟି କଟାଇବା ସକାଶେ ଏଠାରେ ଅବସ୍ଥାନ କରୁଥିବା ସମୟରେ ତାଙ୍କ ସହ ୩ ଜଣ ବନ୍ଧୁ ମଧ୍ୟ କଟେଜ୍‌ରେ ଅବସ୍ଥାନ କରୁଥିଲେ । ସେମାନଙ୍କ ମଧ୍ୟରୁ ଦି ସ୍ପେ୍‌ାର୍ଟିଂ ନ୍ୟୁଜ୍ (ଟିଏସ୍‌ଏନ୍‌) ୱେବ୍‌ସାଇଟ୍ ମୁଖ୍ୟ ଟମ୍ ହଲ୍ କହିଛନ୍ତି ଯେ ୱାର୍ଣ୍ଣ ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ଥିଲେ । ତାଙ୍କଠାରେ ସାମାନ୍ୟତମ ଅସ୍ୱାଭାବିକତା ସେ ପରିଲକ୍ଷିତ କରି ନ ଥିଲେ । ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ସେ ୱାର୍ଣ୍ଣଙ୍କ ସହ ଖାଦ୍ୟ ଶେୟାର୍ କରିଥିଲେ । ୱାର୍ଣ୍ଣ ଟୋଷ୍ଟ୍‌ରେ ଭେଜିମାଇଟ୍ ଲଗାଇ ଖାଇବାକୁ ବେଶ୍ ଭଲ ପାଉଥିବା ବେଳେ ଘଟଣା ଦିନ ଏହା ସେବନ କରିଥିଲେ । ଇତିମଧ୍ୟରେ ୱାର୍ଣ୍ଣଙ୍କ ଅଟୋପ୍‌ସି ରିପୋର୍ଟ ଆସିଛି ଓ ତାଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ପ୍ରକ୍ରିୟାରେ ଘଟିଥିବା ଥାଇଲାଣ୍ଡ୍ ପୋଲିସ୍ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି । ପରିବାର ଲୋକେ ମଧ୍ୟ ଏଥିସହ ଏକମତ ହୋଇଛନ୍ତି । ଖୁବ୍‌ଶୀଘ୍ର ୱାର୍ଣ୍ଣଙ୍କ ମରଶରୀର ଅଷ୍ଟ୍ରେଲୀୟ କନସୁଲେଟ୍‌ର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯିବା ସକାଶେ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆରେ ୱାର୍ଣ୍ଣଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଅନ୍ତିମ ସଂସ୍କାର ପର୍ବ ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ସମ୍ପନ୍ନ ହେବା ନେଇ ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଆହୁରି ଏହି ଷ୍ଟାଡିୟମ୍‌ର ଗ୍ରେଟ୍ ସଦର୍ଣ୍ଣ ଷ୍ଟାଣ୍ଡ୍ ୱାର୍ଣ୍ଣଙ୍କ ନାମରେ ନାମିତ ହେବ ବୋଲି ମଧ୍ୟ ଜଣାପଡ଼ିଛି ।

Leave A Reply

Your email address will not be published.