ଆଜିଠାରୁ ଆଇସିସି ମହିଳା ବିଶ୍ୱକପ୍

ମାଉଣ୍ଟ ମାଉଙ୍ଗାନୁଇ : ଶୁକ୍ରବାରଠାରୁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ ହେଉଛି । ଆୟୋଜକ ନ୍ୟୁଜିଲାଣ୍ଡ୍ ଓ ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସହ ଏହି ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ହେବ । ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ, ନ୍ୟୁଜିଲାଣ୍ଡ୍ ଓ ୱେଷ୍ଟ୍‌ଇଣ୍ଡିଜ୍ ବ୍ୟତୀତ ପାକିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ସାଉଥ୍ ଆଫ୍ରିକା, ଇଂଲଣ୍ଡ ଏହିପରି ୮ଟି ଟିମ୍ (ଭାଗ ନେଉଛନ୍ତି । ମ୍ୟାଚ୍‌ଗୁଡ଼ିକ ୬ଟି ଭେନ୍ୟୁ କ୍ରାଏଷ୍ଟଚର୍ଚ୍ଚ, ଅକଲାଣ୍ଡ୍‌, ମାଉଣ୍ଟ ମାଉଙ୍ଗାନୁଇ, ହାମିଲଟନ୍‌, ୱେଲିଂଟନ୍ ଓ ଡୁନେଡିନ୍‌ଠାରେ ଖେଳାଯିବ । ରାଉଣ୍ଡ୍ ରବିନ୍ ଲିଗ୍ ଭିତ୍ତିରେ ପ୍ରତି ଟିମ୍ ପରସ୍ପର ସହ ଥରଟିଏ ଲେଖାଏଁ ଖେଳିବେ । ଟୁର୍ଣ୍ଣାମେଣ୍ଟ୍‌ର ଗତ ସଂସ୍କରଣରେ ଭାରତ ପ୍ରଥମ ଥର ପାଇଁ ଟାଇଟଲ୍ ଆଶାରେ ଆଗାମୀ ୬ ତାରିଖରେ ପାକିସ୍ତାନ ବିପକ୍ଷରୁ ତା’ର ଅଭିଯାନ ଆରମ୍ଭ କରିବ । ସେହିପରି ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଆସନ୍ତା ୫ ତାରିଖରେ ଅଷ୍ଟ୍ରେଲିଆ ସହ ତା’ର ପ୍ରଥମ ମ୍ୟାଚ୍ ଖେଳିବ । ସଂସ୍କରଣରେ ସର୍ବମୋଟ ୩୧ଟି ମ୍ୟାଚ୍ ମଧ୍ୟରୁ ସେମିଫାଇନାଲ୍ ଦୁଇଟି ହାମିଲଟନ୍ ଓ ମାଉଣ୍ଟ ମାଉଙ୍ଗାନୁଇଠାରେ ଖେଳାଯିବ । ଏହାଛଡ଼ା ଆସନ୍ତା ଏପ୍ରିଲ୍ ୩ ତାରିଖରେ ଫାଇନାଲ୍ ମୁକାବିଲାଟି କ୍ରାଏଷ୍ଟଚର୍ଚ୍ଚଠାରେ ଖେଳାଯିବା ସକାଶେ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି । ସେହିପରି ଏହି ସଂସ୍କରଣରେ ଗତ ସଂସ୍କରଣ ପରି ଡିଆରଏସ୍ ବ୍ୟବସ୍ଥା ଲାଗୁ ହେବ ବୋଲି ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଏହାଛଡ଼ା ଗତ ସଂସ୍କରଣଗୁଡ଼ିକ ତୁଳନାରେ ଚଳିତ ଆଇସିସି ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକର ସିଧା ପ୍ରସାରଣ ଅଧିକ ଦେଶରେ ଉପଲବ୍ଧ ହେବାକୁ ଥିବାରୁ ଏହା ଦର୍ଶକୀୟ ଆଦ୍ରୁତି ପାଇବ ବୋଲି ଆଇସିସି ଆଶା ପ୍ରକାଶ କରିଛି । ଭାରତରେ ମ୍ୟାଚ୍‌ଗୁଡ଼ିକର ପ୍ରସାରଣ ଷ୍ଟାର୍ ସ୍ପୋର୍ଟ୍ସ ନେଟ୍‌ୱାର୍କରେ ଉପଲବ୍ଧ ହେବ ।

ଭାରତର କାର୍ଯ୍ୟସୂଚୀ

୬/୩          ଭାରତ-ପାକିସ୍ତାନ     ମାଉଣ୍ଟ ମାଉଙ୍ଗାନୁଇ   ପ୍ରାତଃ ସାଢ଼େ ୬

୧୦/୩        ଭାରତ-ନ୍ୟୁଜିଲାଣ୍ଡ୍‌     ହାମିଲଟନ୍‌    ପ୍ରାତଃ ସାଢ଼େ ୬

୧୨/୩        ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ହାମିଲଟନ୍‌    ପ୍ରାତଃ ସାଢ଼େ ୬

୧୬/୩        ଭାରତ-ଇଂଲଣ୍ଡ        ମାଉଣ୍ଟ୍ ମାଉଙ୍ଗାନୁଇ   ପ୍ରାତଃ ସାଢ଼େ ୬

୧୯/୩        ଭାରତ-ଅଷ୍ଟ୍ରେଲିଆ    ଅକଲାଣ୍ଡ୍‌      ପ୍ରାତଃ ସାଢ଼େ ୬

୨୨/୩        ଭାରତ-ବାଂଲାଦେଶ   ହାମିଲଟନ୍‌    ପ୍ରାତଃ ସାଢ଼େ ୬

୨୭/୩        ଭାରତ-ସାଉଥ୍ ଆଫ୍ରିକା       କ୍ରାଏଷ୍ଟ୍‌ଚର୍ଚ୍ଚ  ପ୍ରାତଃ ସାଢ଼େ ୬

Leave A Reply

Your email address will not be published.