କୋହଲିଙ୍କ ଶହେତମ ଓ ରୋହିତଙ୍କ ଅଧିନାୟକ ଡେବ୍ୟୁ

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌

ମୋହାଲି : ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେଉଛି ଭାରତ ଓ ଶ୍ରୀଲଙ୍କା ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ । ଏହି ମ୍ୟାଚ୍‌ଟି ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ କୋହଲି ତାଙ୍କର ଶହେତମ ଟେଷ୍ଟ୍ ଖେଳିବାକୁ ଯାଉଥିବା ବେଳେ ଅନ୍ୟପଟେ ରୋହିତ ଅଧିନାୟକ ଭାବେ ଏହି ମ୍ୟାଚ୍‌ରେ ଡେବ୍ୟୁ କରିବେ । ସେହିପରି ଦୀର୍ଘଦିନ ପରେ ଭାରତ ଦୁଇ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ବିନା ଖେଳିବାକୁ ଯାଉଛି । ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ଶୁବମାନ ଗିଲ୍‌, ହନୁମା ବିହାରୀ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରୁ କାହାକୁ ମିଳିବ, ସେନେଇ ଅଧିନାୟକ ରୋହିତ କିଛି ବି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି ଯେ ରାହାଣେ ଓ ପୂଜାରାଙ୍କ ବିନା ଟେଷ୍ଟ୍ ମ୍ୟାଚ୍ ଆମ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ । କିନ୍ତୁ ସେମାନଙ୍କୁ ବାଦ୍ ଦେଇ ଆମକୁ ଆଗକୁ ବଢ଼ିବାକୁ ହେବ । ଅବଶ୍ୟ ଭାରତୀୟ ଟିମ୍ ପ୍ରତି ଉଭୟଙ୍କ ଅବଦାନକୁ କେହି ଭୁଲିବା ଉଚିତ ନୁହେଁ । ସେମାନଙ୍କ ଅବଦାନ ପାଇଁ ହିଁ ଭାରତ ବିଦେଶରେ ଟେଷ୍ଟ୍ ସିରିଜ୍ ହେଉ ଅବା ଘରୋଇ ମାଟିରେ ଆଧିପତ୍ୟ, ସବୁଥିରେ ଦଳ ସଫଳ ହୋଇଛି । ଦଳକୁ ବିଶ୍ୱର ଏକ ନମ୍ବର ଟେଷ୍ଟ୍ ଟିମ୍ କରିବାରେ ବି ସେମାନଙ୍କ ଅବଦାନ ଅତୁଳନୀୟ ।

ତେଣୁ ସେମାନଙ୍କ ସ୍ଥାନ ପୂରଣ କରିବା ସେତେଟା ସହଜ ନୁହେଁ । କିନ୍ତୁ ଯୁବ ଖେଳାଳି ଗିଲ୍‌, ବିହାରୀ ଓ ଶ୍ରେୟସ୍ ଯେତେବେଳେ ବି ସୁଯୋଗ ପାଇଛନ୍ତି, ସବୁବେଳେ ନିଜକୁ ପ୍ରମାଣିତ କରିପାରିଛନ୍ତି ବୋଲି ରୋହିତ କହିଛନ୍ତି । ପୂଜାରା ଓ ରାହାଣେଙ୍କ ବ୍ୟତୀତ ଶହେରୁ ଊର୍ଦ୍ଧ୍ୱ ଟେଷ୍ଟ୍ ଖେଳିଥିବା ଈଶାନ୍ତଙ୍କ ଅବଦାନକୁ ମଧ୍ୟ ରୋହିତ ପ୍ରଶଂସା କରିଛନ୍ତି । ଏଥିସହ ଏହି ତିନି ଖେଳାଳିଙ୍କ ଟେଷ୍ଟ୍ କ୍ୟାରିୟର୍ ଶେଷ ହୋଇଗଲା ବୋଲି କେହି ବି ଭାବିବା ଉଚିତ ନୁହେଁ । ଆଗାମୀ ଦିନରେ ସେମାନେ ପୁଣିଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଦୁରୂହ ବ୍ୟାପାର ନୁହେଁ ବୋଲି ରୋହିତ କହିଛନ୍ତି । ସେହିପରି ଯୁବ ଖେଳାଳିମାନେ ଟେଷ୍ଟ୍ କ୍ରିକେଟ୍‌ରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ହାତଛଡ଼ା କରିବେ ନାହିଁ ବୋଲି ରୋହିତ ଆଶା ପ୍ରକାଶ କରିଛନ୍ତି । ଏହି ଯୁବ ଖେଳାଳିମାନେ ଆଗାମୀ ଦିନରେ ବର୍ଷ ବର୍ଷ ଧରି ଟେଷ୍ଟ୍ କ୍ରିକେଟ୍ ଖେଳି ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ ବୋଲି ମଧ୍ୟ ରୋହିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ଏବେ ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି)ରେ ଚିନ୍ତାଜନକ ସ୍ଥିତିରେ ରହିଥିବା ରୋହିତ ସ୍ୱୀକାର କରିଛନ୍ତି । ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ସିରିଜ୍ ଡ୍ର’ କରିବା ସହ ସାଉଥ୍ ଆଫ୍ରିକା ବିପକ୍ଷରେ ୧-୨ରେ ପରାସ୍ତ ହୋଇସାରିଛି । ଏପରି ସ୍ଥିତିରେ ଡବ୍‌ଲ୍ୟୁଟିସି ପଏଣ୍ଟ୍ ଟେବଲ୍‌ରେ ଉନ୍ନତି ପାଇଁ ପ୍ରତିଟି ମ୍ୟାଚ୍ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ଦିନରେ ଆମେ ୯ଟି ଟେଷ୍ଟ୍ ଖେଳିବାକୁ ଥିବା ବେଳେ ପ୍ରତିଟି ମ୍ୟାଚ୍ ଜିତିବାକୁ ଉଦ୍ୟମ କରିବୁ । ତେଣୁ ଏହା ନିଶ୍ଚିତ ଭାବେ ଆମ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ ବୋଲି ରୋହିତ ସ୍ୱୀକାର କରିଛନ୍ତି । ରୋହିତଙ୍କ ସହ କିଏ ଇନିଂସ ଆରମ୍ଭ କରିବ, ସେନେଇ ଅଧିନାୟକ କିଛି ବି ସ୍ପଷ୍ଟ କରି ନ ଥିବା ମ୍ୟାଚ୍ ପୂର୍ବରୁ ଏହା ଜଣାପଡ଼ିବ ବୋଲି କହିଛନ୍ତି । ଗିଲ୍‌, ମୟଙ୍କ, ଶ୍ରେୟସ୍‌, ହନୁମା ସମସ୍ତେ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଆଗାମୀ ଦିନରେ ଭରପୂର ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି ଓ ଏ ଦିଗରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ତାଙ୍କୁ ସହଯୋଗ କରିବା ନେଇ ଅଧିନାୟକ ଆଶାବାଦୀ ଥିବା କହିଛନ୍ତି । ସେହିପରି ପୂର୍ବତନ ଅଧିନାୟକ କୋହଲିଙ୍କର ଏହି ଶହେତମ ଟେଷ୍ଟ୍‌ରେ ବିଜୟ ଲାଭ କରି ଏହାକୁ ସ୍ମରଣୀୟ କରିବା ଟିମ୍‌ର ଲକ୍ଷ୍ୟ ବୋଲି ରୋହିତ କହିଛନ୍ତି । ବିଗତ ଦିନରେ କୋହଲି ଟେଷ୍ଟ୍ କ୍ରିକେଟ୍‌ରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ କିଛି କରିବା ତାଙ୍କ ପାଇଁ ବାକି ଅଛି ବୋଲି ରୋହିତ ମତ ଦେଇଛନ୍ତି । ସେହିପରି ୨୦୧୩ରେ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ରେ କୋହଲି ଅର୍ଜନ କରିଥିବା ଶତକ ତାଙ୍କ ପସନ୍ଦର ସବୁଠାରୁ ଶ୍ରେଷ୍ଠ ଇନିଂସ ବୋଲି ରୋହିତ କହିଛନ୍ତି ।

Leave A Reply

Your email address will not be published.