ଆଇପିଏଲରେ କରୋନା ଆତଙ୍କ, KKRର ଦୁଇ ଖେଳାଳି ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏଥିରୁ ବାଦ୍ ପଡିନି ଆଇପିଏଲ୍ ମ୍ୟାଚ୍। ଏବେ କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଆଜିର ମ୍ୟାଚକୁ ସ୍ଥଗିତ କରିଛି ବିସିସିଆଇ। ସଂକ୍ରମିତ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି କେକେଆରର ଖେଳାଳି ।

ଏହି ମ୍ୟାଚ କେବେ ଖେଳାଯିବ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଆଇପିଏଲର ୩୦ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଳ୍ ଚାଲେଞ୍ଜ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ହେବାର ଥିଲା । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ମି.ରେ ଖେଳାଯିବାକୁ ଥିଲା ।

ମହାମାରୀ ମଧ୍ୟରେ ଏଯାବତ୍ ୨୯ଟି ମ୍ୟାଚ୍ ସଫଳତା ପୂର୍ବକ କରାଯାଇଥିଲା । ହେଲେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚଳିତ ସିଜନର ୩୦ ତମ ମ୍ୟାଚକୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଛି ।

ଏହା ପୂର୍ବରୁ ଖବର ଆସିଥିଲା ଯେ କରୋନା ସଂକ୍ରମଣ କ୍ରମାଗତ ବଢୁଥିବା ଯୋଗୁଁ ବିସିସିଆଇ ପକ୍ଷରୁ IPL-14ରେ ଖେଳାଳିଙ୍କୁ ବାୟୋ ବବଲ୍ କୁ ଅଧିକ ଶକ୍ତ କରାଯାଇଥିଲା । ତେବେ ଏହା ସତ୍ୱେ ମଧ୍ୟ ଖେଳାଳି କରୋନା ପଜିଟିଭ ହେଉଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ୩ ହଜାର ୪୧୭ ଜଣଙ୍କ ଜୀବନ ନେଇଛି ମହାମାରୀ। ସେହିପରି ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ଆଉ ୩ ଲକ୍ଷ ୭୩୨ ସଂକ୍ରମିତ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪ରେ ପହଞ୍ଚିଥିବା ବେଳେ ସୁଦ୍ଧା ମୋଟ ୧ କୋଟି ୬୨ ଲକ୍ଷ ୯୩ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.