ଓଡ଼ିଆ ସାଇକେଲିଷ୍ଟ ସ୍ୱାତୀ ସିଂହଙ୍କୁ ସ୍ୱର୍ଣ୍ଣ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ହାଇଦ୍ରାବାଦରେ ଖେଳା ଯାଉଥିବା ୭୨ତମ ବରିଷ୍ଠ ଜାତୀୟ ଟ୍ରାକ୍ ସାଇକେଲିଂ ଚାମ୍ପିଅନସିପରେ ସ୍ୱାତୀଙ୍କୁ ସଫଳତା ମିଳିଛି । ଓଡ଼ିଆ ଝିଅ ସ୍ୱାତୀ ସିଂହ ପାଇଛନ୍ତି ସ୍ୱର୍ଣ୍ଣ ପଦକ । ଇଲାଇଟ୍ ୱିମେନ୍ ୩୦୦୦ ମିଟର ବ୍ୟକ୍ତିଗତ ବିଭାଗରେ ସ୍ୱାତୀ ଗୋଲ୍ଡ ମେଡାଲ ଜିତିବା ସହ ଜାତୀୟ ସ୍ତରରେ ଆଉ ଏକ ରେକର୍ଡ କରିଛନ୍ତି । ସ୍ୱାତୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ରାଉରକେଲା ସହରର ସ୍ୱାତୀ ସିଂହଙ୍କ ସାଇକେଲ ଚାଳନା ନିଶା ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ କମ୍ପ୍ଲେକ୍ସରେ ସ୍ୱାତୀ ଟ୍ରେନିଂ ନେଉଛନ୍ତି । ଜାତୀୟ ସ୍ତରରେ ନାଁ କରିଥିବା ସ୍ୱାତୀ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସପ୍ତମ କ୍ଲାସ ପଢ଼ିବା ବେଳେ ୨୦୧୫ରେ ସାଇକେଲ୍ ଚାଳନା ଆରମ୍ଭ କରିଥିଲେ ସ୍ୱାତୀ । ସେ ତାଙ୍କ କ୍ୟାରିୟରର ପ୍ରଥମ ରାଜ୍ୟସ୍ତରୀୟ କ୍ରୀଡ଼ାରେ ୪ ଗୋଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ଯାହାକି ତାଙ୍କୁ ସଫଳତା ଦେବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଥିଲା ।

୨୦୧୮ରେ ପ୍ରଥମ ଥର ଲାଗି ସ୍ୱାତୀ ଜାତୀୟ ସ୍ତରରେ ପ୍ରଥମ ପଦକ ପାଇଥିଲେ । ୨୩ତମ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ବ୍ୟକ୍ତିଗତ ଭାବେ ୧୫ କିଲୋମଟିର ସାଇକେଲ ଚାଳନରା ସ୍ୱାତୀ ବ୍ରୋଞ୍ଜ ପାଇଥିଲେ । ପରେ ୨୦୧୮ ଜୁନରେ ସେ ଜାତୀୟ କ୍ୟାମ୍ପ ପାଇଁ ମନୋନୀତ ହୋଇଥିଲେ ।

ସେହି ୨୦୧୮ ମସିହାରେ ସ୍ୱାତୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଥିଲା । ୧୭ ବର୍ଷ ବୟସରେ ପଞ୍ଚମ ଏସିଆନ୍ କପ୍ ଟ୍ରାକ୍ ସାଇକେଲିଂ ୨୦୧୯ରେ ସେ ଆଉ ଏକ ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ । ନିଜ ପୂର୍ବ ରେକର୍ଡ ଭାଙ୍ଗି ପାଇଥିଲେ ବ୍ରୋଞ୍ଜ ପଦକ । ପରେ ତୃତୀୟ ଖେଳୋ ଇଣ୍ଡିଆ ୟୁଥ୍ ଗେମରେ ସେ ୨ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ପାଇଥିଲେ ।

Leave A Reply

Your email address will not be published.