କ୍ରିକେଟରୁ ଧୋନୀଙ୍କ ଅବସର ଘୋଷଣା

ରାଞ୍ଚି : ଭାରତୀୟ କ୍ରିକେଟ ଟିମର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ନିଜେ ମାହି ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ସ୍ୱାଧିନତା ଦିବସ ଅବସରରେ ଧୋନୀଙ୍କ ଏଭଳି ନିଷ୍ପତି କ୍ରିକେଟ ପ୍ରେମିକଙ୍କୁ ନିରାଶ କରିଛି । ୨୦୧୯ ବିଶ୍ଵକପ୍ ସେମି ଫାଇନାଲରେ ଭାରତର ପରାଜୟ ପରଠୁ ଆଉ କ୍ରିକେଟ୍ ମଇଦାନକୁ ଓହ୍ଲାଇ ନାହାନ୍ତି। ଏହା ପରେ ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଖେଳିବା ନେଇ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଜାରି ରହିଥିଲା। ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନିଜେ ଧୋନି ଶେଷରେ ତାଙ୍କ ଅବସର କଥା ଘୋଷଣା କରିଛନ୍ତି।


ଗତ ବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ଵକପ୍ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ରେ ଭାରତର ପରାଜୟ ପରଠୁ ଧୋନୀ କ୍ରିକେଟ୍ରୁ ଦୂରେଇ ରହିଥିଲେ। ସେ ଘରୋଇ ମ୍ୟାଚ୍ରେ ମଧ୍ୟ ନଜର ଆସିନଥିଲେ। ଏହି ସମୟରେ ସେ ଆର୍ମି ସହିତ ଟ୍ରେନିଂରେ ଚାଲି ଯାଇଥିଲେ। କୁହାଯାଉଥିଲା ଯେ, ଧୋନୀ ଟି-୨୦ ବିଶ୍ଵକପ୍ରେ ଭାରତର ପ୍ରତିନିଧିତ୍ଵ କରିବେ। ମାତ୍ର କରୋନା ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ଵକପ୍ ଘୁଞ୍ଚାଇ ଦିଆଗଲା। ଏହା ପରେ ତାଙ୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଧୋନୀ ୨୦୧୪ ଡିସେମ୍ବରରେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଥିଲେ। ଧୋନୀ ବିଶ୍ଵକପ ପରେ ଦୁଇ ମାସର ବିରତି ନେଇଥିଲେ। ସେ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ବି ଯାଇନଥିଲେ। ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ମଧ୍ୟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଚୟନକର୍ତ୍ତା କହିଥିଲେ ଧୋନୀ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ରେ ଦଳର ପ୍ରତିନିଧିତ୍ଵ କରିବେ। ଧୋନୀଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍କୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜାରି ରହିଥିଲା।
ରେଳବାଇ ଚାକିରି ଛାଡ଼ି ଭାରତୀୟ ଦଳରେ ସ୍ଥାନ ପାଇବାକୁ ଅପେକ୍ଷା କରିଥିବା ଧୋନିଙ୍କୁ ୨୦୦୪ରେ ଏହି ସୁଯୋଗ ମିଳିଥିଲା। ସେହି ବର୍ଷ ଡିସେମ୍ବର ୨୩ ତାରିଖରେ ସେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ସେବେଠାରୁ ଆରମ୍ଭ କରି ନିଜର ଶେଷ ମ୍ୟାଚ ଖେଳିବା ଭିତରେ ଧୋନି ମୋଟ ୩୫୦ ଦିନିକିଆରେ ୧୦,୭୭୩ ରନ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ରହିଛି। ତାଙ୍କ ନେତୃତ୍ୱରେ ଭାରତ ୨୦୧୧ରେ ଦ୍ଵିତୀୟ ଥର ପାଇଁ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ୨୦୦୭ରେ ଦଳର ନେତୃତ୍ୱ ନେଇ ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତାଇଥିବା ଧୋନି ବିଶ୍ୱରେ ଏକମାତ୍ର ଅଧିନାୟକ ଯାହାଙ୍କ ଅଧୀନରେ ଦଳ ସମସ୍ତ ଆଇସିସି ଟ୍ରଫି ବିଜେତା ହୋଇଛି। ଏଥିସହ ୯୮ଟି ଟି-ଟ୍ୱେଣ୍ଟିରେ ୧୬୧୭ ରନ ଏବଂ ୯୦ଟି ଟେଷ୍ଟ ଖେଳି ୪୮୭୬ ରନ କରିଛନ୍ତି ମାହି। ଚମତ୍କାର କିପିଂ ପ୍ରଦର୍ଶନ ସାଙ୍ଗକୁ ନିଜ ଦମରେ ମ୍ୟାଚ ଫିନିସିଂ ଦକ୍ଷତା ତାଙ୍କୁ ଜଣେ ସଫଳ କ୍ରିକେଟର ତଥା ମ୍ୟାଚ ବିଜେତା ସଜାଇଛି।
ହେଲିକପ୍ଟର ସଟ ମାରି ସମସ୍ତଙ୍କୁ ଚକିତ କରୁଥିବା ଧୋନି ୨୦୦୮ ଏବଂ ୨୦୦୯ରେ ଲଗାତାର ଦୁଇଥର ଆଇସିସି ଦିନିକିଆ ଖେଳାଳି ପୁରସ୍କାର ପାଇଥିଲେ। ଏପରି କରିବାରେ ସେ ବିଶ୍ବର ପ୍ରଥମ କ୍ରିକେଟର। ଏଥିସହ ଭାରତ ସରକାରଙ୍କ ପକ୍ଷରୁ ୨୦୦୭ରେ ତାଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ଏବଂ ୨୦୧୮ରେ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ ପ୍ରଦାନ କରାଯାଇଛି। ଏଥିସହ ଭାରତୀୟ ଟେରିଟୋରିଆଲ ଆର୍ମିରେ ଧୋନିଙ୍କୁ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ମିଳିଛି। ତାଙ୍କ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ଏହି ସମ୍ମାନ ପାଇଛନ୍ତି।

Leave A Reply

Your email address will not be published.