ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାନ୍

ଚଣ୍ଡିଗଡ଼ : ଆପ୍ ନେତା ଭଗୱନ୍ତ ମାନ୍ ବୁଧବାର ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ରାଜଧାନୀ ଚଣ୍ଡିଗଡସ୍ଥିତ ରାଜଭବନ ପରିବର୍ତ୍ତେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଜନ୍ମସ୍ଥାନ ଖଟ୍‌କାର କାଲାନ୍‌ଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ମାନ୍ ନିଜ ପସନ୍ଦର ହଳଦିଆ ପଗଡି ପିନ୍ଧିଥିବାବେଳେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଏକାଧିକ ବରିଷ୍ଠ ଆପ୍ ନେତା ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ କହିଥିଲେ ଯେ ବର୍ତ୍ତମାନ ‘ଉଡ୍‌ତା ପଞ୍ଜାବ’ ପରିବର୍ତ୍ତେ ‘ବଢ୍‌ତା ପଞ୍ଜାବ’ର ଚିତ୍ର ରାଜ୍ୟବାସୀ ଦେଖିବାକୁ ପାଇବେ ।

ସୂଚନାଯୋଗ୍ୟ ୨୦୧୬ରେ ହିନ୍ଦୀ ଚଳଚ୍ଚିତ୍ର ‘ଉଡ୍‌ତା ପଞ୍ଜାବ’ ମୁକ୍ତିଲାଭ କରିଥିବାବେଳେ ପଞ୍ଜାବରେ ବ୍ୟାପକ ମାଦକଦ୍ରବ୍ୟ କାରବାରକୁ ଗୁୁରୁତ୍ୱ ଦିଆଯାଇଥିଲା । ଏହାବ୍ୟତୀତ ମାନ୍ ନବନିର୍ବାଚିତ ଦଳୀୟ ସାଂସଦଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଔଦ୍ଧତ୍ୟ ପ୍ରଦର୍ଶନ କରନାହିଁ । ଯେଉଁମାନେ ଆମକୁ ଭୋଟ ଦେଇନାହାନ୍ତି, ସେମାନଙ୍କ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କର । ସଦ୍ୟ ସମାପ୍ତ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ୧୧୭ ମଧ୍ୟରୁ ୯୨ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଛି ।

Leave A Reply

Your email address will not be published.