ବାଲିପାଟଣା: ୩ ନଂ ବୁଥ୍ରେ ଭୋଟଗ୍ରହଣ ବାତିଲ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତାଦାନ ଅବସରରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଏହି ବ୍ଲକ୍‌ର ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ ଅଧିକାରୀ ତଥା ବିଡିଓ ଆଦିକନ୍ଦ ବେହେରା ସୂଚନା ଦେଇଛନ୍ତି। ଭୋଟ୍‌ ଗ୍ରହଣ ଆପାତତଃ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ କେତେକ ପଞ୍ଚାୟତରେ କାଁ ଭାଁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ତେବେ ସୋମଣା ଶାସନ ପଞ୍ଚାୟତର ସୋମଣା ପ୍ରଧାନ ୩ ନଂ ବୁଥ୍‌ରେ ଭୋଟଗ୍ରହଣ ବାତିଲ କରାଯାଇଛି।

ଏହି ବୁଥ୍‌ରେ ବିଜେପି ଦଳର ଏଜେଣ୍ଟ ଭୋଟ୍‌ବାକ୍ସରେ ପାଣି ପୂରେଇ ଦେବାରୁ ମତଦାନ ବନ୍ଦ କରାଯାଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶାନୁସାରେ, ଏଠାରେ ସାନି ମତଦାନ ହେବ। ଏନେଇ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉକ୍ତ ଏଜେଣ୍ଟଙ୍କ ନାମରେ ଏତଲା ଦିଆଯାଇଛି ଓ ସେ ଫେରାର୍ ହୋଇଯାଇଛନ୍ତି। ସୂଚନାନୁସାରେ, ସୋମଣାପ୍ରଧାନ ବୁଥ୍‌ ନମ୍ବର ୩ରେ ଭୋଟର୍‌ ତାଲିକାକୁ ନେଇ ପ୍ରଥମେ ବିବାଦ ସୃଷ୍ଟି ହୋଇଥିଲା। ଭୋଟର୍‌ ତାଲିକାରେ ନାଁ ଅଦଳ ବଦଳ ହୋଇଥିବା କାରଣରୁ ବହୁ ଭୋଟର୍‌ ମତଦାନ କରିବାରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ଏଜେଣ୍ଟ ଗଦାଧର ପ୍ରଧାନ ରାଗି ଯାଇଥିଲେ। ବୁଥ୍‌ ଭିତରେ ପାଟିତୁଣ୍ଡ କରିଥିଲେ। ଫଳରେ ଅନ୍ୟ ଏଜେଣ୍ଟମାନଙ୍କ ସହ ଗଦାଧରଙ୍କ କଥା କଟାକଟି ହୋଇଥିଲା। ହଠାତ୍ ଗଦାଧର ଭୋଟ ବାକ୍ସ ଭିତରେ ପାଣି ପୂରେଇ ଦେଇଥିଲେ। ସେତେବେଳକୁ କିଛି ମତଦାତା ଭୋଟ ଦେଇସାରିଥିଲେ।

ଗଦାଧର ଭୋଟ୍‌ ବାକ୍ସରେ ପାଣି ପୂରାଇ ସେଠାରୁ ଚାଲି ଯାଇଥିଲେ। ତୁରନ୍ତ ପ୍ରିଜାଇଡିଂ ଅଫିସର ଏନେଇ ବାଲିପାଟଣା ବିଡିଓଙ୍କୁ ଜଣାଇଥିଲେ। ଖବର ପାଇ ବିଡିଓ ଘଟଣାସ୍ଥଳରେ ପହଞ୍ଚି ମତଦାନ ବାତିଲ କରାଇଥିଲେ।

Leave A Reply

Your email address will not be published.