ପିପିଲି ଉପ-ନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ସଂକ୍ରମିତ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି  । ସେ ଲେଖିଛନ୍ତି, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି । ସୂଚନା ଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଆସନ ନେଇ ଭୋଟଗ୍ରହଣ ହେବାକୁ ଥିବା ବେଳେ ୧୫ ତାରିଖ ଯାଏଁ ପ୍ରଚାର କରିବେ ପ୍ରାର୍ଥୀ । ନିର୍ବାଚନ ନେଇ ଆହୁରି ୫ ଦିନ ଥିବା ବେଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଅଜିତ୍ ମଙ୍ଗରାଜ । ଏଭଳି ସ୍ଥିତିରେ କଂଗ୍ରେସର ପ୍ରଚାର କାର୍ଯ୍ୟରେ ଏକ ପ୍ରକାର ବ୍ରେକ୍ ଲାଗିବ । ପିପିଲିରେ ପ୍ରଥମରୁ ଅପେକ୍ଷାକୃତ ଦୁର୍ବଳ ଥିବା କଂଗ୍ରେସର ପ୍ରାର୍ଥୀ ସଂକ୍ରମିତ ଚିହ୍ନଟ ହୋଇ ପ୍ରଚାର ରଣାଙ୍ଗନା ଦୂରେଇ ଯିବା ଦଳୀୟ କର୍ମୀଙ୍କୁ ହତୋତ୍ସାହ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।  ଅପରପକ୍ଷରେ   ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପ୍ରଚାର ହେବ । LED ବ୍ୟବସ୍ଥା ହେବ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ହେବ। ଏବଂ ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ଜିତିବ।ଏ ନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।

Comments are closed, but trackbacks and pingbacks are open.