ଭିନ୍ନକ୍ଷମ ଶିଶୁଙ୍କ ପାଇଁ ସରକାରଙ୍କ ଅଭିନବ ପ୍ରୟାସ: ମନ୍ତ୍ରୀ ଅଶୋକ

ସେନସୋରି ପାର୍କ ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ସରକାରଙ୍କ ଏକ ଅଭିନବ ପ୍ରୟାସ । ଏଥିରେ ଭିନ୍ନକ୍ଷମ ଶିଶୁଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ ବିଭିନ୍ନ ସୁବିଧା ରହିଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ମଙ୍ଗଳବାର ଶହୀଦ ନଗରରେ ସେନ୍‌ସୋରି ପାର୍କ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଏପରି ଉଦ୍ୟମ ଫଳରେ ଭିନ୍ନକ୍ଷମମାନଙ୍କ ସାମାଜିକ ମହାସ୍ରୋତରେ ସମ୍ପୃକ୍ତି ସଶକ୍ତ ହୋଇପାରିବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଅଧୀନରେ ଏହି ସେନ୍‌ସୋରି ପାର୍କ ଆରମ୍ଭ ହୋଇଛି ।

୧୩୬୮ ବର୍ଗମିଟର ପରିମିତ ଅଞ୍ଚଳରେ ୦.୯୯ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି । ଏଥିରେ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି । ପାଥ୍‌ୱେ, ପାନୀୟ ଜଳ ଟ୍ୟାପ୍‌, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ପିଲାମାନଙ୍କ ପାଇଁ ବିଭିନ୍ନ ଖେଳସାମଗ୍ରୀ ସୁବିଧା ଥିବା ଏହି ପାର୍କକୁ ଆସି ଭିନ୍ନକ୍ଷମ ଶିଶୁମାନେ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧିର ସୁଯୋଗ ପାଇପାରିବେ । ଦେଶରେ ଏପରି ପାର୍କ ନିର୍ମାଣ ପ୍ରଥମ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କୁହାଯାଇଛି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭୁବନେଶ୍ୱରରେ ଥିବା ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଢାଞ୍ଚାରେ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା କରାଯିବ । ସେନ୍‌ସୋରି ପାର୍କର ପରିଚାଳନା ଓ ତତ୍ତ୍ୱାବଧାନରେ ନାଗରିକ ସମାଜ ପ୍ରଯତ୍ନ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ୩୦ ନଂ ୱାର୍ଡର କର୍ପୋରେଟର୍ ରାଜକିଶୋର ଦାସ, ଭୁବନେଶ୍ୱର ସ୍ମାର୍ଟ ସିଟିର ଅତିରିକ୍ତ କମିଶନର୍ ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାସ ବକ୍ତବ୍ୟ ରଖି ଏପରି ପାର୍କ ଭିନ୍ନକ୍ଷମ ଶିଶୁ ତଥା ସ୍ୱତନ୍ତ୍ର ସହାୟତା ଲୋଡ଼ୁଥିବା ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ସ୍ମାର୍ଟ ସିଟି ଲିଃର ସାଧାରଣ ପ୍ରବନ୍ଧକ କମଲଜିତ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ନାଗରିକ ସମାଜ ପକ୍ଷରୁ ଡାକ୍ତର ଅରୁଣ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.