ନୂଆ ପିସିସି ସଭାପତିକୁ ନେଇ ଅଙ୍କକଶା

ଭୁବନେଶ୍ୱର : କିଏ ହେବ ନୂଆ ପିସିସି ସଭାପତି । କାହା ନାଁରେ ଦଳର ହାଇକମାଣ୍ଡ ମାରିବେ ମୋହର । ସେନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ ନହୋଇଥିବା ବେଳେ ଏବେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ବିଧାୟକଙ୍କ ସହ ଫେସ୍ ଟୁ ଫେସ୍ ଆଲୋଚନା କରୁଛନ୍ତି ।


ଆରମ୍ଭ ହେଲା ପିସିସି ସଭାପତି ପରିବର୍ତ୍ତନ ପ୍ରକ୍ରିୟା । ବିଧାୟକଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବା ପାଇଁ ଅନେକ ବିଧାୟକ ଦାବି କରିଛନ୍ତି । ୨୦୧୯ ନିର୍ବାଚନ ପରାଜୟ ପରେ ନୈତିକତା ଓ ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଥର ଇସ୍ତଫା ଦେଇଛନ୍ତି । ଏହାପରେ ନିରଞ୍ଜନ କହିଛନ୍ତି ମୁଁ, ଖୁସି ଅଛି । ଆଗାରୁ ମଧ୍ୟ ଇସ୍ତଫା ଦେଇସାରିଛି । ଯିଏ ବି ହୁଅନ୍ତୁ ଶୃଙ୍ଖଳିତ ବ୍ୟକ୍ତିଟିଏ ହୁଅନ୍ତୁ । ନୂଆ ପିସିସି ସଭାପତି ନିଯୁକ୍ତି ପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ମାନସ ମନ୍ଥନ କରିଛନ୍ତି । ପିସିସି ସଭାପତି ପରିବର୍ତ୍ତନ ସହ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦଳରେ ଦାବି ହେଉଛି । ଦଳର ବରିଷ୍ଠ ନେତାମାନେ ପିସିସି ସଭାପତି ରେସରେ ଅଛନ୍ତି । ଆଲୋଚନା ପରେ ପାର୍ଟି ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ପାର୍ଟି ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେବେ।

Leave A Reply

Your email address will not be published.