ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚା’ ଦୋକାନୀଙ୍କ ଦାନ

ଭୁବନେଶ୍ୱର : ଭୁବନେଶ୍ୱର ଆରଟିଓ ଅଫିସ ନିକଟ ଏକ ଓମ୍‌ଫେଡ୍ ବୁଥରେ ଚା’ ବିକ୍ରି କରୁଥିବା ଦୋକାନୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି । ରାଜ୍ୟ ଲୋକସେବା ଭବନରେ ସେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶିର ଚେକ୍ ପ୍ରଦାନ କରିଥିଲେ ।

ଏହି ଅବସରରେ ଶ୍ରୀ ଜେନା ଜଣାଇଥିଲେ ଯେ ସେ ଜଣେ କୋଭିଡ୍ ଯୋଦ୍ଧାଭାବେ କାର୍ଯ୍ୟ କରିଥିଲେ । ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ ନିଜ ଉପରେ କରାଇବା ପାଇଁ ସେ ସ୍ୱେଚ୍ଛାକୃତଭାବେ ଆଗଭର ହୋଇଥିଲେ । ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନପ୍ରକାର ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍ ହସ୍ପିଟାଲକୁ ଯିବା ଆସିବା କରୁଥିଲେ । ତାଙ୍କୁ ଯିବା ଆସିବା ଖର୍ଚ୍ଚ ବାବଦରେ ୬୭୫୦.୦୦ ମିଳିଥିଲା । ଟିକା ପରୀକ୍ଷଣ ସଫଳ ହେବାରୁ ସେ ବହୁତ ଆନନ୍ଦିତ ହୋଇଥିଲେ ଓ ଆତ୍ମସନ୍ତୋଷ ଲାଭ କରିଥିଲେ ।

ସେହି ରାଶି ସହ ଚା’ ବେପାରରୁ ମିଳିଥିବା ୧ ମାସର ଲାଭ ମିଶାଇ ଶ୍ରୀ ଜେନା ସମୁଦାୟ ୧୮,୩୫୦ ଟଙ୍କାର ଏକ ଚେକ୍ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ପ୍ରତି ବର୍ଷ ଦୋକାନରୁ ୧ ମାସର ରୋଜଗାର ସେ କୌଣସି ନା କୌଣସି ଅଭାବଗ୍ରସ୍ତ, ଦିବ୍ୟାଙ୍ଗ ଓ ନିଃସହାୟଙ୍କ ସହାୟତା ବା ସମାଜ କଲ୍ୟାଣ କାମରେ ବିନିଯୋଗ କରିଥାଆନ୍ତି । ପ୍ରାୟ ବିଗତ ୧୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେ ଏ ପ୍ରକାର ମାନବିକ ସେବା କାର୍ଯ୍ୟରେ ବ୍ରତୀ ଅଛନ୍ତି । ଶ୍ରୀ ଜେନାଙ୍କର ଏତାଦୃଶ ମାନବିକ ଚେତନା ଓ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିବଶଙ୍କରଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ବିକାଶ କାମନା କରିଥିଲେ । ଚେକ୍ ପ୍ରଦାନ ସମୟରେ ଭୁବନେଶ୍ୱର (ମଧ୍ୟ)ର ବିଧାୟକ ସଦସ୍ୟ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.