ବର୍ଷା ଆଣିବ ଆଶ୍ୱସ୍ତି, ଖସିବ ପାରଦ

ଭୁବନେଶ୍ୱର : ଆକାଶରୁ ନିଆଁ ବର୍ଷିଲା ଭଳି ଗ୍ରୀଷ୍ମ ଜ୍ୱାଳା । ଛଟପଟ ଜନଜୀବନ । ଚଳିତବର୍ଷ ପ୍ରଥମ ଥର ପାଇଁ ବୁଧବାର ପାରଦ ୪୪.୫ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ଏଭଳି ତାତିରେ ହୁତହୁତ ହୋଇ ଜଳୁଥିଲା ସୋନପୁର ସହର । ଏହାସହ ସୋନପୁର ପୁଣି ଥରେ ରାଜ୍ୟର ସବୁଠୁ ତତଲା ସହର ପାଲଟିଲା । ରାଜ୍ୟର ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା ବୁଧବାର । ୬ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଡେଇଁଥିଲା । ଏମିତି ଅସ୍ୱାଭାବିକ ଗରମରେ ସାରା ରାଜ୍ୟ ସନ୍ତୁଳି ହେଉଥିବାବେଳେ ଗୁରୁବାରଠାରୁ ହାଲୁକା ଆଶ୍ୱସ୍ତି ମିଳିପାରେ ଗ୍ରୀଷ୍ମ ପ୍ରକୋପରୁ ।

ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ଦୁଇଦିନ ଭିତରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । କେତେକ ଜାଗାରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଫଳରେ ଗରମରୁ ଟିକିଏ ଆଶ୍ୱସ୍ତି ମିଳିପାରେ । ମାତ୍ର ୨୪ ତାରିଖରୁ ପୁଣି ଗରମ ବଢ଼ିବ । ତାପମାତ୍ରା ପୁଣି ୨-୩ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ସହ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିବ ।

୨୨ ତାରିଖରେ (ଶୁକ୍ରବାର) ଉପକୂଳ ଓଡ଼ିଶା ସହ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା, ପବନ, ଘଡ଼ଘଡ଼ି ଆଶଙ୍କା ରହିଛି । ଶନିବାର କାଳବୈଶାଖୀ ପ୍ରକୋପ ଜାରି ରହିବ । ରବିବାରଠାରୁ କାଳବୈଶାଖୀ ପ୍ରକୋପ କମିବା ସହ ପୁଣି ଗରମ ବଢ଼ିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ସୋନପୁର ପଛକୁ ବଲାଙ୍ଗିର ତାପମାତ୍ରା ୪୪ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ଟିଟିଲାଗଡ଼ରେ ପାରଦ ୪୩ ଡିଗ୍ରୀରେ ପହଞ୍ଚିଥିଲା ।

Leave A Reply

Your email address will not be published.