ହାଜତ ମୃତ୍ୟୁ ଘଟଣା :ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ଚୋରି ମାମଲାରେ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପରେ ପୁଲିସ ହେପାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପରିବାରଲୋକେ ହାଜତ ମୃତ୍ୟୁ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ସଞ୍ଜୀବ କୁମାର ବେହେରାଙ୍କୁ ମଙ୍ଗଳବାର ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଇନ୍ସପେକ୍ଟର ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସେ ଏହି ମୃତ୍ୟୁ ଘଟଣାର ତଦନ୍ତ କରିବେ ।

ପ୍ରଦୀପଙ୍କୁ ହାଜତରେ ପିଟି ପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିବା ସହ ପୁଲିସକୁ ଦାୟୀ କରିଛନ୍ତି । ତେଣୁ ପ୍ରଦୀପ କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ତାହାର ସଠିକ୍ ରିପୋର୍ଟ ଦେବା ସହ ନିରପେକ୍ଷ ତଦନ୍ତ ପାଇଁ ଏହି ଦାୟିତ୍ୱ ତାଙ୍କୁ ଦିଆଯାଇଛି । ଫଳରେ ଶବ ବ୍ୟବଚ୍ଛେଦ ରିପୋର୍ଟ, ପାରିପାଶ୍ୱର୍କ ସ୍ଥିତି, ବୟାନ ଏବଂ ଅନ୍ୟନ୍ୟା ତଥ୍ୟ ଓ ଏନ୍‌ଏଚ୍‌ଆର୍‌ସି ଗାଇଡଲାଇନ ଅନୁସାରେ ଏହି ତଦନ୍ତ କରାଯିବ । ଏହାର ତଦାରଖ ଜଣେ ଅତିରିକ୍ତ ଡିସିପି ର‌୍ୟାଙ୍କ୍‌ର ଅଧିକାରୀ କରିବେ । ଏହି ରିପୋର୍ଟ ଜିଲ୍ଲାପାଳ ଓ ଡିସିପିଙ୍କ ମିଳିତ ଦସ୍ତଖତରେ ୪୮ ଘଣ୍ଟା ମଧ୍ୟରେ ଏନ୍‌ଏଚ୍‌ଆରସିକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ବ୍ରହ୍ମେଶ୍ୱରପାଟଣା ଅଞ୍ଚଳରୁ ପ୍ରଦୀପଙ୍କୁ ବଡ଼ଗଡ଼ ଥାନା ପୁଲିସ କାବୁ କରିଥିଲା । ସେ ଜଣେ ପେସାଦାର ଚୋର ହୋଇଥିବାରୁ ତାଙ୍କୁ ଥାନାକୁ ନିଆଯାଇଥିଲା । ରାତି ପ୍ରାୟ ୧୦ଟା ସମୟରେ ପ୍ରଦୀପ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.