ପ୍ରଥମଥର ଆଣିଥିଲେ କୋକେନ୍ – ରବି ଓ ସନ୍ନି

ଭୁବନେଶ୍ୱର : ମୁଁ ଦିଲ୍ଲୀ ଓ ପଞ୍ଜାବରେ କୋକେନ୍ ବେପାର କରେ । ଓଡ଼ିଶାରେ ବିକ୍ରି କରିବାକୁ ସନ୍ନି ପରାମର୍ଶ ଦେଇଥିଲା । ଏଥିପାଇଁ ପ୍ରଥମେ ୨୦୨ଗ୍ରାମ କୋକେନ୍ ନେଇ ଆସିଥିଲି । ପୂର୍ବରୁ କେବେ ବି କୋକେନ୍ ଓଡ଼ିଶାକୁ ଆଣିନାହିଁ । ଏସ୍‌ଟିଏଫ୍ ଓ ଏନ୍‌ସିବି ଟିମ୍ ଆଗରେ ଏଭଳି ବୟାନ ଦେଇଛି ରବି । ୪ଦିନିଆ ରିମାଣ୍ଡରେ ଆସିଥିବା ସନ୍ନି ଓ ରବିକୁ ଏସ୍‌ଟିଏଫ୍ ଘନଘନ ଜେରା କରୁଛି । ଜେରା ବେଳେ ସେ କୋକେନ୍ ବେପାର ସମ୍ପର୍କରେ ଏଭଳି କହିଛି । ରବି ଆହୁରି କହିଛନ୍ତି ଯେ ଓଡ଼ିଶା ବଜାରରେ କୋକେନ୍ ବିକ୍ରି କରିଥାନ୍ତେ । ଏନେଇ ଅନେକ ଡିଲର୍‌ଙ୍କ ସହ କଥା ହୋଇଥିଲେ । ଏଥିସହ ବଡ଼ବଡ଼ ହୋଟେଲ୍‌କୁ ମଧ୍ୟ ଦିଆଯାଇଥାନ୍ତା । ହେଲେ ବେପାର ପୂର୍ବରୁ ଧରାପଡ଼ିଗଲେ । ତେବେ ସନ୍ନି-ରବି ସତ ନା ମିଛ କହୁଛନ୍ତି, ସେସବୁକୁ ଏସ୍‌ଟିଏଫ୍ ତର୍ଜମା କରୁଛି ।

ସୂଚନା ଅନୁଯାୟୀ, ୨୦୨ଗ୍ରାମର କୋକେନ୍ ଜବତ ଘଟଣାରେ ସନ୍ନି ଓ ରବିକୁ ଏସ୍‌ଟିଏଫ୍ ଗିରଫ କରିଛି । ସୋମବାର ସେମାନଙ୍କୁ ୪ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯାଉଛି । ଏହି ଘଟଣାରେ ବିଦେଶୀ ଲିଙ୍କ୍ ଥିବାରୁ ଏନ୍‌ସିବି(ନାର୍‌କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ଗୁରୁତର ସହ ନେଇଛି । ଏନେଇ ଏନ୍‌ସିବିର ୪ଜଣିଆ ଟିମ୍ ଭୁବନେଶ୍ୱର ଏସ୍‌ଟିଏଫ୍ ଅଫିସ ଆସିଛନ୍ତି । ସେମାନେ ରବି ଓ ସନ୍ନିକୁ ବିଦେଶୀ ଲିଙ୍କ୍ ସମ୍ପର୍କରେ ପଚରାଉଚରା କରୁଛନ୍ତି । ଏଥିସହ ଦିଲ୍ଲୀରେ ଥିବା କୋକେନ୍ ମାଷ୍ଟରମାଇଣ୍ଡ ଅର୍ଥାତ୍ ରବିର ବସ୍‌କୁ ଧରିବାକୁ ଏସ୍‌ଟିଏଫ୍ ଉଦ୍ୟମ କରିଛି । ତେବେ ରବି ଓ ସନ୍ନିକୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିଲା । ହେଲେ କୋର୍ଟ ସୋମବାର ୪ଦିନ ପାଇଁ ଅନୁମତି ଦେଇଥିଲେ । ତେଣୁ ସୋମବାର ସନ୍ଧ୍ୟାରେ ସେମାନଙ୍କୁ ଜେଲ୍ ହାଜତରୁ ଏସ୍‌ଟିଏଫ୍ ଅଫିସ୍‌କୁ ଅଣାଯାଇଛି ।

Leave A Reply

Your email address will not be published.