ଚିଲିକା ବୁଲିଲେ ବାଚସ୍ପତି, ବିଧାୟକ

ଭୁବନେଶ୍ୱର : ଚିଲିକା ବୁଲିଲେ ମନ୍ତ୍ରୀ ଓ ବିଧାୟକ । ପୂର୍ବ ନିଷ୍ପତ୍ତି ମୁତାବକ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ବହୁ ମନ୍ତ୍ରୀ ଓ ବିଧାୟକ ଶୁକ୍ରବାର ଦିନିକିଆ ଚିଲିକା ଗସ୍ତ କରିଛନ୍ତି । ଓଟିଡିସିର ୪ଟି ସ୍ୱତନ୍ତ୍ର ବସ୍‌ରେ ସମସ୍ତେ ବିଧାନସଭା ପରିସରରୁ ଚିଲିକା ଅଭିମୁଖେ ବାହାରିଥିଲେ । ସେଠାରେ ମା’ କାଳିଜାଇଙ୍କୁ ଦର୍ଶନ କରିବା ପରେ ନୌସେନା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମରାଭ୍ୟାସ୍ ଦେଖିଥିଲେ । ଏହାପରେ ସନ୍ଧ୍ୟାରେ ସମସ୍ତେ ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି ।

ଆଜି ପୂର୍ବାହ୍ଣରେ ବଡ଼କୁଳ ପାନ୍ଥନିବାସରେ ବିଧାୟକମାନେ ପହଞ୍ଚିବା କ୍ଷଣି ସେଠାରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଓ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ଆଇଏନ୍‌ଏସ୍ ଚିଲିକାର ସ୍ୱତନ୍ତ୍ର ବୋଟ୍‌ରେ ସମସ୍ତେ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ସାରି ଆଇଏନ୍‌ଏସ୍ ଚିଲିକା ବେସ କ୍ୟାମ୍ପରେ ପହଞ୍ଚିଥିଲେ । ନୌସେନା ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ସମସ୍ତେ ନୌସେନାରେ ତାଲିମରତ ପ୍ରଶିକ୍ଷାର୍ଥୀଙ୍କ ସହ ସାକ୍ଷାତ କରିଥିଲେ । ପ୍ରଶିକ୍ଷାର୍ଥୀଙ୍କ ସମରାଭ୍ୟାସ ଦେଖିବା ପରେ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ସମସ୍ତ ଅତିଥିଙ୍କୁ ଉପହାର ପ୍ରଦାନ କରାଯାଇ ବିଦାୟ ଦିଆଯାଇଥିଲା ।

ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ମିଳିଥିବା ସୂଚନାନୁସାରେ, ବାଚସ୍ପତିଙ୍କ ନେତୃତ୍ୱରେ ୮୨ ବିଧାୟକଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଦେଶର ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତତା ଦିଗରେ ନୌସେନାର ନୂତନ ଜ୍ଞାନକୌଶଳ ସମ୍ପର୍କରେ ଆଇଏନ୍‌ଏସ୍ ଚିଲିକାର କମାଣ୍ଡିଂ ଅଫିସର ଏବଂ ନାଭାଲ ଅଫିସର ଇନ୍ ଚାର୍ଜ ଏନ୍‌ପି ପ୍ରଦୀପ ସୂଚନା ଦେଇଥିଲେ । ଏହାସହ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ । ଏହି ଅବସରରେ ବାଚସ୍ପତି ଶ୍ରୀ ପାତ୍ର ଅଭିଭାଷଣ ପ୍ରଦାନ କରିବା ସହ ଆଇଏନ୍‌ଏସ୍ ଚିଲିକାକୁ ଧନ୍ୟବାଦ ଜଣାଇଥିଲେ । ବିଧାନସଭା ସଦସ୍ୟଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଏସ୍‌ପି ସୁରେଶ କୁମାର ଦାସ, ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ବହୁ ପ୍ରଶାସନିକ ଏବଂ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.