କାଳବୈଶାଖୀ ଲାଗି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ୁଥିବା ବେଳେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି । ୧୪ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ଜନିତ କାଳବୈଶାଖୀ ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ବୁଧବାର ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

ଝାରସୁଗୁଡାର ତାପମାତ୍ରା ୪୪ଡିଗ୍ରୀ ଛୁଇଁଛି । ଏହାବ୍ୟତୀତ ଆଜି ରାଜ୍ୟରେ ୧୨ଟି ସହରର ତାପମାତ୍ରା ୪୦ଡିଗ୍ରୀ ପାର୍ କରିଥିଲା । ସେଥିରୁ ଅନୁଗୁଳର ତାପମାତ୍ରା ୪୨.୭ ଡିଗ୍ରୀ, ସମ୍ବଲପୁର ୪୧.୬ ଡିଗ୍ରୀ, ସୁନ୍ଦରଗଡ ୪୧.୫ ଡିଗ୍ରୀ, ହିରାକୁଦ ୪୦.୩ଡିଗ୍ରୀ, ତାଳଚେର ୪୧.୬ ଡିଗ୍ରୀ, ଭବାନୀପାଟଣା ୪୧.୫ ଡିଗ୍ରୀ, ବଲାଙ୍ଗିର ୪୩.୨ ଡିଗ୍ରୀ, ଟିଟିଲାଗଡ ୪୩ ଡିଗ୍ରୀ, ସୁବର୍ଣ୍ଣପୁର୪୩.୯ ଡିଗ୍ରୀ, ବୌଦ୍ଧ ୪୨ ଡିଗ୍ରୀ, ପାରଳାଖେମୁଣ୍ଡି ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୩୮.୫ ଡିଗ୍ରୀ, କଟକ ୩୭.୮ ଡିଗ୍ରୀ ରହିଥିଲା ।

Leave A Reply

Your email address will not be published.