ଲୋୟର ପିଏମଜିରେ ହତ୍ୟା ଘଟଣା : ୨ ଗିରଫ

ଭୁବନେଶ୍ୱର : ଲୋୟର ପିଏମ୍‌ଜି ପୋଷ୍ଟ ଅଫିସ ଏଟିଏମ୍ ବାହାରେ ଦମ୍ପତିଙ୍କୁ ଆକ୍ରମଣ ପରେ ହତ୍ୟା ମାମଲାରେ ଖାରବେଳନଗର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଥାନା ମାଳିଜଗନ୍ନାଥପୁର ଗ୍ରାମର ରାଜେଶ ମହାପାତ୍ର ଓରଫ ରାଜା(୩୨) ଓ ଢେଙ୍କାନାଳ କାମାକ୍ଷାନଗର ଥାନା ଅନ୍ତର୍ଗତ ତରୁଣ ବଜାର ଅଞ୍ଚଳର ଅଜୟ ରାଉତ ଓରଫ ଗେଡୁ(୩୨) । ଦୁହେଁ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ରୁହନ୍ତି । ଏମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ ଆଇରନ୍ ରଡ୍‌, ରକ୍ତଭିଜା କପଡ଼ା ଜବତ ହୋଇଛି । ଏନେଇ ପୁଲିସ କେସ୍ ନଂ ୨୬୫/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦ୍ୱୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ମୃତ ବବୁଲୁ ବେହେରା ଏବଂ ତାଙ୍କ ପତ୍ନୀ ପୂଜା ବେହେରା ସେମାନଙ୍କ ଶିଶୁପୁତ୍ର ସହ ୪ ମାସ ହେବ ବିଧାନସଭା ନିକଟ ଲୋୟର ପିଏମ୍‌ଜି ରାସ୍ତାରେ ଥିବା ଇଣ୍ଡିଆନ୍ ପୋଷ୍ଟ ଏଟିଏମ୍ କାଉଣ୍ଟର ବାରଣ୍ଡାରେ ରହିଆସୁଥିଲେ । ଅଭିଯୁକ୍ତ ରାଜା ଓ ଗେଡୁ ଏବଂ ମୃତକମାନେ ଦୀର୍ଘଦିନରୁ ପରସ୍ପରଙ୍କ ଜଣାଶୁଣା ଥିଲେ । ଗତ ରବିବାର ଅପରାହ୍ଣରେ ଅଭିଯୁକ୍ତ ରାଜା, ମୃତକ ବବୁଲୁ ଏବଂ ତାଙ୍କ ପତ୍ନୀ ପୂଜା ବେହେରାଙ୍କ ମଧ୍ୟରେ ସେମାନେ ରହୁଥିବା ସ୍ଥାନ ନିକଟରେ ଭୀଷଣ ଯୁକ୍ତିତର୍କ ହୋଇଥିଲା । ମୃତକ ବବୁଲ ବେହେରା ଏବଂ ତାଙ୍କ ପତ୍ନୀ ଅସଭ୍ୟ ଭାଷାରେ ଦୁର୍ବ୍ୟବହାର କରିଥିଲେ । ଏଥିସହ ବ୍ୟକ୍ତିଗତ ଜୀବନରେ ବାଧା ନଦେବାକୁ ରାଜାକୁ ଧମକାଇଥିଲେ । ଏହାପରେ ରାଜା ଲୋକଲଜ୍ଜାର ଶିକାର ହୋଇ ସମ୍ପୃକ୍ତ ଦମ୍ପତିଙ୍କୁ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲା ।

ଏନେଇ ସେ ଗେଡୁ ସହ କଥାବାର୍ତ୍ତା ହୋଇଥିଲା । ରବିବାର ବିଳମ୍ବିତ ରାତ୍ରି ପ୍ରାୟ ୨ଟା ସମୟରେ ରାଜା ଓ ଗେଡୁ ଉଭୟ ଏକ ଆଇରନ୍ ରଡ୍ ଧରି ଏଟିଏମ୍ ନିକଟକୁ ଯାଇଥିଲେ । ସେଠାରେ ଶୋଇଥିବା ବବୁଲ ଓ ତାଙ୍କ ପତ୍ନୀ ପୂଜାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳେ ବବୁଲଙ୍କ ମୃତ୍ୟୁ ଘଟିଥିଲା । ପୂଜା ବେହେରା ଯେତେବେଳେ ଉଠିଲେ ସେତେବେଳେ ସେ ଉଭୟ ଅଭିଯୁକ୍ତ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରୁଥିବାର ଦେଖି ଚିତ୍କାର କରିଥିଲେ । ତା’ପରେ ଅଭିଯୁକ୍ତ ରାଜା ପୂଜା ବେହେରାଙ୍କୁ ମଧ୍ୟ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଯେତେବେଳେ ଉଭୟ ଦମ୍ପତି ଚୁପ୍ ହୋଇଗଲେ, ଅଭିଯୁକ୍ତମାନେ ଭାବିଲେ ଯେ ସେମାନେ ମରିସାରିଛନ୍ତି । ତେଣୁ ସେମାନେ ଆଇରନ୍ ରଡ୍‌ରୁ ଘଟଣାସ୍ଥଳ ସମ୍ମୁଖରେ ଥିବା ବୁଦା ଭିତରକୁ ଫିଙ୍ଗିଦେବା ପରେ ଉକ୍ତ ସ୍ଥାନ ଛାଡ଼ି ପଳାଇଥିଲେ ।

Leave A Reply

Your email address will not be published.