୪ କୋଟି ଠକେଇ : ଜେଲ୍ ଗଲା ମେଡିସିନ୍ ଦୋକାନୀ

ଭୁବନେଶ୍ୱର : ଅଧିକ ସୁଧ ଦେବାର ଲୋଭ ଦେଖାଇ ୧୦ରୁ ଅଧିକ ଲୋକଙ୍କଠାରୁ ୪କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ନୀଳାଦ୍ରି ବିହାରର ଉମେଶ ପାଢ଼ୀ । ସେ ଏକ ମେଡ଼ିସିନ୍ ଦୋକାନ କରିଛନ୍ତି । ଏନେଇ ପୁଲିସ କେସ୍ ନଂ ୪୩୯/୨୧ରେ ଏକ ମାମଲା ରୁଜୁକରି ଉମେଶଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଉମେଶଙ୍କ ନାମରେ ଠକେଇର ଫର୍ଦ୍ଦ ବଢ଼ିବାରେ ଲାଗିଛି । ତେଣୁ ତାଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାରରେ ଉମେଶ ୨୦୧୯ ମସିହାରେ ‘ଆୟୁଷ ମେଡ଼ିକେୟାର’ ନାମରେ ଏକ ମେଡିସିନ୍ ଦୋକାନ ଆରମ୍ଭ କରିଥିଲେ । ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ସୁଧ ହାରରେ ମେଡିସିନ୍ ଦୋକାନରେ ଟଙ୍କା ବିନିଯୋଗ କରିବା ପାଇଁ ସେ ଲୋଭ ଦେଖାଇଥିଲେ । ପରେ ଅଭିଯୋଗକାରୀଙ୍କଠାରୁ ଏନ୍‌ଇଏଫ୍‌ଟି, ଆର୍‌ଟିଜିସି, ଚେକ୍‌, ଫୋନ୍ ପେ’ ଓ ଗୁଗୁଲ୍ ପେ’ ବିଭିନ୍ନ ମାଧ୍ୟମରେ ଭିନ୍ନ ଭିନ୍ନ ସମୟରେ ତାଙ୍କଠାରୁ ପ୍ରାୟ ୧୯ ଲକ୍ଷ ଟଙ୍କା ନେଇଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ପୁଞ୍ଜି ବିନିଯୋଗ ରାଶି କିମ୍ବା କୌଣସି ଲାଭ ଅଭିଯୋଗକାରୀଙ୍କୁ ଦେଇନଥିଲେ । ଏମିତିକି ତାଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହିତ ଜୀବନ ପ୍ରତି ବିପଦ ସୃଷ୍ଟି କରାଇବାର ଧମକ ଦେଇଥିଲେ । ଅଭିଯୋଗକାରୀ ଠକାମୀର ଶିକାର ହୋଇଥିବା ଜାଣିପାରି ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ସୋମବାର ସକାଳେ ତାକୁ ଘଷିପୁରରୁ ଗିରଫ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.