ବିଜୁ ଆଡଭେଞ୍ଚର ପାର୍କର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ ଗୋପାଳପୁର ଠାରେ ବିଜୁ ଆଡଭେଞ୍ଚର ପାର୍କର ଉଦ୍‌ଘାଟନ କରିଛନ୍ତି । ଏହି ପାର୍କଟି ଗୋପାଳପୁରରେ ପର୍ଯ୍ୟଟନର ପ୍ରୋତ୍ସାହନ ଓ ଯୁବଗୋଷ୍ଠୀଙ୍କୁ ଆଡଭେଞ୍ଚର କ୍ରୀଡ଼ା ପ୍ରତି ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି । ଦୁର୍ଦ୍ଧର୍ଷ ପାଇଲଟ୍ ଭାବେ ନିଜର ବହୁ ଦୁଃସାହସିକ କାର୍ଯ୍ୟ ପାଇଁ ବିଶ୍ୱବ୍ୟାପୀ ନାଁ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମ୍ମାନାର୍ଥେ ଏହି ପାର୍କକୁ ତାଙ୍କ ନାଁରେ ନାମିତ କରାଯାଇଛି । ଏହାର ନିର୍ମାଣ ପାଇଁ ମୋଟ୍ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୨୫୦ ମିଟର ଲମ୍ବର ରିଭର କ୍ରସିଂ ଜିପ୍ ଲାଇନ ସୁବିଧା ରହିଛି । ଯାହାକି ଓଡ଼ିଶାରେ ପ୍ରଥମ ।

ଏହି ଜିପ୍‌ଲାଇନରେ ଯିବାବେଳେ ପର୍ଯ୍ୟଟକମାନେ ଗୋପାଳପୁର ବେଳାଭୂମିର ମନୋରମ ଦୃଶ୍ୟକୁ ଅନୁଭବ କରିପାରିବେ । ଅନ୍ୟ ସୁବିଧା ମଧ୍ୟରେ ୪୦ ଫୁଟ୍‌ର ଜ୍ୟାଣ୍ଟ ସୁଇଂ, ଏୟାର ଗନ୍ ସୁଟିଂ, ବଙ୍ଗି ଟ୍ରାମ୍ପୋଲାଇନ୍‌, ମେକାନିକାଲ୍ ବୁଲ୍ ରାଇଡ୍‌, ନେଟ୍ କ୍ରିକେଟ୍ ଓ ଅଲ୍ ଟେରାଇନ୍ ଭେହିକିଲ୍ ରାଇଡ୍ ବ୍ୟବସ୍ଥା ଏହି ପାର୍କରେ ରହିଛି । ଆଗକୁ ଏହା ମଧ୍ୟରେ ରକ୍ କ୍ଲାଇମ୍ବିଂ, ରାପେଲିଂ, ଡ୍ୟାସିଂ କାର୍ସ, ଜରବିଂ ଇତ୍ୟାଦିର ସୁବିଧା କରାଯିବ । ଯଦ୍ୱାରା ଅଧିକ ଗ୍ଲୋବାଲ୍ ଟୁରିଷ୍ଟଙ୍କ ପାଦ ଗୋପାଳପୁରରେ ପଡ଼ିବ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭିକେ ପାଣ୍ଡିଆନ୍ ସଞ୍ଚାଳନ କରିଥିବା ବେଳେ ଗୋପାଳପୁର ଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ଏନଏସି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.