ରାଜଧାନୀ ପ୍ରତିଷ୍ଠା ଦିବସ : ୧୩ଜଣ ପାଇବେ ‘ରାଜଧାନୀ ଗୌରବ ସମ୍ମାନ’

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବା ପାଇଁ ସରକାରୀ ଭାବେ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୩ ତାରିଖ ସକାଳ ୮ଟାରେ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖସ୍ଥ ବେସାମରିକ ପରେଡ ଉତ୍ସବ ପରେ ପରେ ରାଜଧାନୀର ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ । ଏଥିପାଇଁ ସଂସ୍କୃତି ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ସୂଚନା ଓ ଲୋକସଂପର୍କ ବିଭାଗ, ଖୋର୍ଦ୍ଧା ଜିଲ୍ଲାପାଳ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ଚୟନ କମିଟି ଗଠନ କରାଯାଇଥିଲା ।

ଗଠିତ ଚୟନ କମିଟିରେ ୧୩ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ଯୋଦ୍ଧା ଭାବେ ଡ. ସଂଘମିତ୍ରା ପତି ଓ ଶୁଭେନ୍ଦୁ ସାହୁ, ବିଶିଷ୍ଟ ଶିଳ୍ପପତି ପଙ୍କଜଲୋଚନ ମହାନ୍ତି, ବୈଜ୍ଞାନିକ ଡ. ଅଜୟ ପରିଡ଼ା, ହକି ଖେଳାଳି ଦୀପଗ୍ରେସ୍ ଏକ୍କା, ଆଇନଜୀବୀ ଡ. ମଧୁମାଧବ ଜେନା, ଚିକିତ୍ସକ ଡା. ଅଶୋକ ନନ୍ଦ, ସମାଜସେବୀ ନୀଳମଣି ମିଶ୍ର, ଟ୍ରାଫିକ୍ କନଷ୍ଟେବଳ ଶେଷଦେବ ସାହୁ, ନର୍ସ ହାରାମଣୀ ଦାଶ, ପୋଷ୍ଟମ୍ୟାନ୍ ବିପ୍ଳବ ରଂଜନ ମଲ୍ଲିକ ଓ ସୁଇପର ସୁଷମା ଦେଇଙ୍କୁ ଉକ୍ତ ସମାରୋହରେ ସମ୍ମାନିତ କରାଯିବ । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ସନତ ମିଶ୍ର ଓ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.