୯ରେ ରୁକୁଣା ରଥଯାତ୍ରା, ୧୩ରେ ବାହୁଡ଼ା

ଭୁବନେଶ୍ୱର : ଚଳିତ ମାସ ଏପ୍ରିଲ ୯ ତାରିଖରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହୋଇ ୧୩ ତାରିଖରେ ବାହୁଡା ଯାତ୍ରା ସମାପନ ହେବ । ରଥଯାତ୍ରା ଓ ବାହୁଡା ଯାତ୍ରାକୁ ଶୃଙ୍ଖଳାର ସହ ପାଳନ କରାଯିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣଗୃହ (ସର୍କିଟ୍ ହାଉସ୍‌) ସମ୍ମିଳନୀ କକ୍ଷରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ଓ ସେବାୟତମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବହୁ ପୁରାତନଓ ଐତିହ୍ୟ ସମ୍ପନ୍ନ ଏହି ରଥଯାତ୍ରାର ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ ।

ବୈଠକର ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟମୀ ଦିନ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ସମ୍ପନ୍ନ ପାଇଁ ଜିଲ୍ଲାପାଳ ସମସ୍ତ ସେବାୟତମାନଙ୍କର ସହଯୋଗ କାମନା କରିଥିଲେ । ଅପରାହ୍ଣ ୩ଟା ୩୦ରେ ଯେପରି ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ରଥଖଳାରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ଯେପରି ସଂଧ୍ୟା ପୂର୍ବରୁ ରାମେଶ୍ୱର ମନ୍ଦିରଠାରେ ପହଞ୍ଚବ ସେ ସମ୍ପର୍କରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ମନ୍ଦିର ପ୍ରଶାସନ ଓ ସେବାୟତ ତଥା ଆରକ୍ଷୀ ଅଧିକାରୀମାନଙ୍କୁ ପାରସ୍ପରିକ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ଆଧ୍ୟାତ୍ମିକ ଧାରା ବିବରଣୀ ପ୍ରଚାର, ବିଭିନ୍ନ ଗଣମାଧ୍ୟମ ତରଫରୁ କାର୍ଯ୍ୟକ୍ରମର ସିଧାପ୍ରସାରଣ, ଅଗ୍ମିଶମ ସେବା ବ୍ୟବସ୍ଥା ଓ ଯାତ୍ରୀ ଗମନାଗମନକୁ ସୁଗମ କରିବା ନିମନ୍ତେ ଅଧିକ ସଂଖ୍ୟକ ‘ମୋ ବସ୍‌’ ବ୍ୟବସ୍ଥା, ଜରୁରୀ କାଳୀନ ଚିକିତ୍ସା ସହାୟତା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ଆଦି ସମ୍ପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.