ସଡ଼କ ଦୁର୍ଘଟଣା ଚିନ୍ତାର କାରଣ: ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ । ଗତ ଦଶନ୍ଧି ମଧ୍ୟରେ ସଡ଼କ ଦୁର୍ଘଟଣା ହେତୁ ରାଜ୍ୟରେ ୪୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମୃତ୍ୟୁହାର ହ୍ରାସ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପୁଲିସ ସେବା ଭବନରେ ଆୟୋଜିତ ‘ଦୁର୍ଘଟଣା କାରଣ ଅନୁସନ୍ଧାନ’ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏହି ମନ୍ତବ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସେ ଆହୁରି କହିଛନ୍ତି ଯେ ଏହି ତାଲିମ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସମସ୍ତ ସମ୍ଭାବ୍ୟ କାରଣକୁ ନେଇ ଏକ ସଡ଼କ ଦୁର୍ଘଟଣାର ଅନୁସନ୍ଧାନ ପାଇଁ ପୁଲିସ ଏବଂ ପରିବହନ ବିଭାଗ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବ ।

ଦୁର୍ଘଟଣା ଅନୁସନ୍ଧାନ ପ୍ରକ୍ରିୟା ଏବଂ ଏହାର ପ୍ରାସଙ୍ଗିକତା ବିଷୟରେ ବୈଜ୍ଞାନିକ ବୁଝାମଣା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ‘ଦୁର୍ଘଟଣା କାରଣ ଅନୁସନ୍ଧାନ’ ତାଲିମ କାର୍ଯ୍ୟକ୍ରମ ସୋମବାର ପୁଲିସ ସେବା ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଏହା ଓଡ଼ିଶାରେ ପ୍ରଥମ ପ୍ରକାରର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ, ଯେଉଁଠାରେ ପୁଲିସ ଏବଂ ପରିବହନ ବିଭାଗର ଅଧିକାରୀଙ୍କୁ ଏକ ଦୁର୍ଘଟଣାର ପ୍ରାଥମିକ ତଥ୍ୟକୁ ବୈଜ୍ଞାନିକ ଉପାୟରେ କିପରି ଅନୁସନ୍ଧାନ କରିବେ, ସେଥିପାଇଁ ତାଲିମ ଦିଆଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ପାଇବା ପ୍ରକ୍ରିୟାକୁ ଅଧିକ କଠୋର ଏବଂ ଦୃଢ କରିବା ନିହାତି ଦରକାର। ସଠିକ୍ ଦୁର୍ଘଟଣା ଅନୁସନ୍ଧାନ କେବଳ ଅପରାଧୀଙ୍କୁ ଖୋଜିବାରେ ନୁହେଁ, ବରଂ ଅଧିକ ଦୁର୍ଘଟଣାକୁ ରୋକିବାରେ ମଧ୍ୟ ସହାୟକ ହେବ। ଏଥିସହ ବାଣିଜ୍ୟ ଏବଂ ପରିବହନ ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଆମ ରାଜ୍ୟରେ ପ୍ରତିବର୍ଷ ୫୦୦୦ରୁ ଅଧିକ ଲୋକ ଦୁର୍ଘଟଣାରେ ପ୍ରାଣ ହରାନ୍ତି । ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଭୁବନେଶ୍ୱର-କଟକ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ କହିଛନ୍ତି, ଆମେ କେବଳ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ରାଜ୍ୟରେ ଦୁର୍ଘଟଣା ହ୍ରାସ କରିପାରିବୁ ନାହିଁ । ସଡ଼କ ସୁରକ୍ଷା କ୍ଷେତ୍ରରେ ଅଧିକ କାର୍ଯ୍ୟ ଏବଂ ପ୍ରୟାସ ଆବଶ୍ୟକ ବୋଲି ଆମେ ସମସ୍ତେ ବୁଝିପାରୁଛୁ । ଜୀବନ ରକ୍ଷା କରିବାର ଅଭିଯାନରେ ଆମ ସମସ୍ତଙ୍କର ଏକ ସମନ୍ୱୟ ରହିବା ଆବଶ୍ୟକ । ଏହି ସଂସ୍ଥା ହିତାଧିକାରୀଙ୍କ ଦକ୍ଷତା ବୃଦ୍ଧି, ସଡ଼କ ସୁରକ୍ଷା ସଚେତନତା, ଆଡ୍‌ଭୋକାସୀ ଆଦି କ୍ଷେତ୍ରରେ ବିଗତ ୨୦ବର୍ଷ ଧରି କାର୍ଯ୍ୟ କରୁଛି ।

Leave A Reply

Your email address will not be published.