ମାନସଙ୍କ ଗାଁରେ କ୍ରାଇମବ୍ରାଞ୍ଚ : ମେମୋରି ଚିପ୍ ଗୁମର ଖୋଲିବ

ମାନସ ସ୍ୱାଇଁ ହତ୍ୟା ମାମଲା

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ଧରା ଯାଇଛନ୍ତି । ହେଲେ କ୍ରାଇମବ୍ରାଞ୍ଚ ତଦନ୍ତରେ ମାନସଙ୍କ ମା’ ଜୟନ୍ତୀ ସ୍ୱାଇଁ ଖୁସି ନାହାନ୍ତି । ଏକ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ଚାନ୍ଦବାଲି ପୁଲିସ ପୂର୍ବରୁ କହିସାରିଛି । ହେଲେ କ୍ରାଇମବ୍ରାଞ୍ଚ ସେନେଇ କୌଣସି ମୁହଁ ଖୋଲୁନାହିଁ । ତେଣୁ କ୍ରାଇମବ୍ରାଞ୍ଚକୁ ଜୟନ୍ତୀ ସନ୍ଦେହ ଘେରରେ ଦେଖୁଛନ୍ତି । ଜୟନ୍ତୀ କହିଛନ୍ତି, ଏକ ମେମୋରି ଚିପ୍ ପାଇଁ ପୁଅ(ମାନସ)କୁ ହତ୍ୟା କରାଯାଇଛି । ସେହି ମେମୋରି ଚିପ୍‌ରେ ଅନେକ ଗୁମର ଥିଲା ।

ହତ୍ୟାକାଣ୍ଡରେ ରାଜ୍ୟର ନେତା, ମନ୍ତ୍ରୀ, ବଡ଼ବଡ଼ିଆ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ସେଥିପାଇଁ କ୍ରାଇମବ୍ରାଞ୍ଚ ନିରପେକ୍ଷ ଭାବେ ତଦନ୍ତ କରିପାରୁନାହିଁ । ତେଣୁ ଏହି ମାମଲାକୁ ସିବିଆଇ ତଦନ୍ତ କରିବା ଦରକାର । ଏଥିସହ ପୁଅକୁ ଯିଏ ମାରିଛି, ତାକୁ ଫାଶୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ମାନସ ହତ୍ୟାକାଣ୍ଡରେ ସଂଗ୍ରହ କରିଥିବା ତଥ୍ୟ ପ୍ରମାଣକୁ ଏକାଠି କରି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଦେଇଛି । ନୟାଗଡ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡିପୋଖରିସ୍ଥିତ ମାନସଙ୍କ ଘରକୁ ସୋମବାର ଅପରାହ୍ନରେ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ ଯାଇଥିଲେ । ମାମଲା ବିଷୟରେ କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ପତ୍ନୀ, ମା’, ଭାଇ ଓ ବାପାଙ୍କ ସହ ଆଲୋଚନା କରଛନ୍ତି । ମାନସଙ୍କ ଚପଲ ଓ ଇୟରଫୋନ୍‌କୁ ପରିବାରଲୋକେ ଚିହ୍ନଟ କରିଛନ୍ତି । ଏହାପରେ କ୍ରାଇମବ୍ରା ଟିମ୍ କଟକ ଫେରିଆସିଥିବା ସୂଚନା ମିଳିଛି । ସୋମବାର ରିମାଣ୍ଡର ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ଝୁନାଙ୍କୁ ମୁହାଁମୁହିଁ ଜେରା କରିଛି । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଏକାଧିକ ପ୍ରଶ୍ନ ପଚରାଯାଇଛି । ଓଡ଼ିଶାରୁ ଫେରାର୍ ହୋଇ ପ୍ରଥମେ କେଉଁଠି ଲୁଚିଥିଲ, କିଏ କିଏ ସାହାଯ୍ୟ କରିଥିଲେ, ନିରଞ୍ଜନ କିଛି ଲୁଚାଉଛନ୍ତି କି, ମାନସଙ୍କୁ କାହିଁକି ହତ୍ୟା କଲ, ଏଭଳି ଅନେକ ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି । ହାତରେ ମାତ୍ର ଆଉ ଦୁଇଦିନ ରିମାଣ୍ଡ ଅବଧି ଥିବାରୁ କ୍ରାଇମବ୍ରାଞ୍ଚ ଜୋରଦାର ଜେରା କରୁଛି । ତେବେ ଯେଉଁ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଥିଲା, ତାହା ବିଷୟରେ କ୍ରାଇମବ୍ରାଞ୍ଚ କୌଣସି ସୂଚନା ଦେଉନଥିବାରୁ ଅନେକ ଆଲୋଚନା ହେଉଛି । ଏଥିସହ ଜେରାବେଳେ ଶର୍ମିଷ୍ଠା ଅନେକ କଥା ଲୁଚାଉଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି । ତଦନ୍ତକାରୀ ଟିମ୍ ଯେତିକି ପଚାରୁଛନ୍ତି, ସେତିକି ମୁହଁ ଖୋଲିବା ସହ ଅନେକ ମିଛ କହୁଛି । ତେଣୁ ଶର୍ମିଷ୍ଠାର ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚ ଯୋଜନା କରୁଛି ।     

Leave A Reply

Your email address will not be published.