ବିଦେଶୀ ମଦ ଦର କମିଲା

ଖୋଲିବ ୧୦ଟି ପ୍ରିମିୟମ୍ ଠିପିବନ୍ଦ ମଦ ଦୋକାନ

ଭୁବନେଶ୍ୱର : ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ନୂଆ ମଦ ଦର ଲାଗୁ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ‘ଠିପିବନ୍ଦ ମଦ ଦୋକାନ’ ଓ ‘ଦେଶୀ ମଦ ଦୋକାନ’ ଖୋଲିବ ନାହିଁ । ତେବେ ପରୀକ୍ଷାମୂଳକ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ୧୦ଟି ଏଭଳି ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସବୁ ବ୍ୟତୀତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିକ୍ରି ହେଉଥିବା ମଦ ଦର ସହ ରହିଥିବା ବିସଙ୍ଗତିକୁ ଦୂର କରିବାକୁ ଓଡ଼ିଶା ସରକାର ଉଚ୍ଚମାନର ବିଦେଶୀ ତିଆରି ବିଦେଶୀ ମଦ(ଏଫଏମଏଫଏଲ) ଓ ୱାଇନ୍ ଉପରକୁ ଅବକାରୀ ଶୁଳ୍କ ହ୍ରାସ କରିଛନ୍ତି । ତେବେ ବିୟର ଓ ଭାରତ ତିଆରି ବିଦେଶୀ ମଦ ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ୨୦୨୨-୨୩ ଆର୍ଥିକ ବର୍ଷର ‘ନୂଆ ଅବକାରୀ ନୀତି’ ରେ ଲାଇସେନ୍ସ ଫି’, ଏମଜିକ୍ୟୁ (ନିଶ୍ଚିତ ସର୍ବନିମ୍ନ ପରିମାଣ) ଓ ମଦ ତିଆରି ପାଇଁ ଆବେଦନ ଫି’ରେ ସାମାନ୍ୟ ବୃଦ୍ଧି ହୋଇଛି । ତେବେ ପଡ଼ୋଶୀ ରାଜ୍ୟ ଓ ଓଡ଼ିଶାରେ ବିକ୍ରି ହେଉଥିବା ମଦର ଦରରେ ରହିଥିବା ପାର୍ଥକ୍ୟକୁ ଦୂର କରିବା ତଥା ରାଜ୍ୟରେ ଭଲ ବିଦେଶୀ ବ୍ରାଣ୍ଡର ମଦର ବିକ୍ରିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏଫଏମଏଫଏଲ୍ ଉପରେ ଅବକାରୀ ଶୁଳ୍କକୁ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ କରିଛନ୍ତି । ସେହିପରି ୱାଇନ୍ ଉପରେ ୧୦ରୁ ୧୫ ପ୍ରତିଶତ ଶୁଳ୍କ ହ୍ରାସ ହୋଇଥିବା ଜଣାପଡ଼ିଛି । ତେବେ ଭାରତ ତିଆରି ବିଦେଶୀ ମଦ (ଆଇଏମଏଫଏଲ) ଓ ବିୟର ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି ।

Leave A Reply

Your email address will not be published.