ମିଛ କହିବାରୁ ପୁଣି ରିମାଣ୍ଡରେ ନକଲି ଡାକ୍ତର ରମେଶ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହାଇଡ୍ରାମା ଶେଷ ହେଉନାହିଁ । ବାରମ୍ବାର ରିମାଣ୍ଡରେ ଆସି ପୁଲିସକୁ ମିଛ କହୁଥିବାବେଳେ ପଲିଗ୍ରାଫ୍ ଟେଷ୍ଟରେ ବି ମିଛ କହିଛନ୍ତି । ତେଣୁ ତାଙ୍କ ମୁହଁରୁ ସତ ଓଗାଳିବାକୁ ପୁଲିସ ଆଜି ଠାରୁ ପୁଣି ୫ଦିନିଆ ରିମାଣ୍ଡରେ ନେଇଛି । ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ କୋର୍ଟ ୫ଦିନ ଅନୁମତି ଦେଇଛନ୍ତି । ରମେଶଙ୍କ ସହିତ ତାଙ୍କର ନକଲି ଲିଆବିନିଙ୍ଗ୍ ଅଫିସର ବିଶ୍ୱରଞ୍ଜନ ଦାସଙ୍କୁ ମଧ୍ୟ ରିମାଣ୍ଡରେ ନିଆଯାଇଛି । ଉଭୟଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ମହିଳା ଥାନାଧିକାରିଣୀ ସନ୍ତୋଷିନୀ ବେହେରା କହିଛନ୍ତି । ସେପଟେ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ଦେଖି ପୁଲିସ ବି ତାଜୁବ୍ ହୋଇଯାଇଛି ।

ଅତୀତରେ କୌଣସି ଅପରାଧୀ ଏତେ ସଂଖ୍ୟକ ମିଛ କହିନାହିଁ । ରମେଶକୁ ପଚରାଯାଇଥିବା ପ୍ରଶ୍ନରୁ ସେ ୯୦ପ୍ରତିଶତ ଉତ୍ତର ମିଛ କହିଥିବା ଜଣାପଡ଼ିଛି । ସେହିପରି ରମେଶଙ୍କୁ ପୁଲିସ ପୂର୍ବରୁ ୪ଥର ରିମାଣ୍ଡରେ ଆଣିଥିଲା । ଆଜି ୫ମ ଥର ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ତଥାପି ରମେଶ ନିଜ ଆଡୁ ପୁଲିସକୁ କିଛି କହୁନାହାନ୍ତି । ମିଛ କଥା କହି ପୁଲିସକୁ ଭ୍ରମିତ କରାଉଛନ୍ତି । ପୁଲିସ ତଥ୍ୟପ୍ରମାଣ ଆଧାରରେ ଯେତିକି ଖୋଳତାଡ୍ କରି ବାହାର କରୁଛି, ସେତିକି ସେ ଭୁଲ୍ ବୋଲି ସ୍ୱୀକାର କରୁଛନ୍ତି । ତେଣୁ ରମେଶ ମାମଲାରେ ପୁଲିସ ତଦନ୍ତ କରି ନାକେଦମ୍ ହୋଇଯାଇଛି ।

Leave A Reply

Your email address will not be published.