ନିଶାବେପାରୀଙ୍କୁ ସାବାଡ୍ କରୁଛି ଏସ୍ଟିଏଫ୍

ଭୁବନେଶ୍ୱର : ଏସ୍‌ଟିଏଫ୍ ଜଣକ ପରେ ଜଣେ ନିଶାବେପାରୀଙ୍କୁ ସାବାଡ୍ କରୁଛି । ବଡ଼ବଡ଼ ନିଶାମାଫିଆଙ୍କୁ ଗିରଫ କରି ସେମାନଙ୍କ ସମ୍ପତ୍ତି ଜବତ କରୁଥିବାବେଳେ ଆଜି ଆଉ ଜଣେ ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତି ଜବତ ହୋଇଛି । ଏସ୍‌ଟିଏଫ୍ ହାତରେ ଧରାପଡ଼ିବା ପରେ ଗିରଫ ହୋଇ ଜେଲ୍‌ରେ ଥିବା ଗଞ୍ଜାମ କୋଦଳା ଟାଉନ ଥାନା ଅଞ୍ଚଳର ଚିତ୍ରସେନ ପରିଡ଼ାଙ୍କ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଏହି ସମ୍ପତ୍ତିରେ ୨ଟି କୋଠା, ଗୋଟିଏ କାର୍‌, ଗୋଟିଏ ବସ୍‌, ଜମି ଓ ବ୍ୟାଙ୍କ ଡିପୋଜିଟ୍ ରହିଛି । ୨ଟି କୋଠାର ମୂଲ୍ୟ ୧.୮୫ କୋଟି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । ଏସ୍‌ଟିଫ୍ ପକ୍ଷରୁ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟାୟନ କରାଯାଉଛି । ଜବତ ସମ୍ପତ୍ତିକୁ ବାଜ୍ୟାପ୍ତି ପାଇଁ ଏସ୍‌ଟିଏଫ୍ କୋଲକାତାସ୍ଥିତ ଏନ୍‌ଡିପିଏସ୍ ଶାଖାକୁ ଚିଠି ଲେଖିଛି । ଅନୁମତି ମିଳିବା ପରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏସ୍‌ଟିଏଫ୍ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଚିତ୍ରସେନ ଗୁଜୁରାଟ ଓ ମାଲକାନଗିରି ପୁଲିସ ପାଇଁ ୱାଣ୍ଟେଡ୍ ଅଛନ୍ତି । ତାଙ୍କ ନାମରେ ଗୁଜରାଟର ସୁରତ ସିଟିସ୍ଥିତ କଟାଗ୍ରାମ ଥାନା, ପୁନା ଥାନା ଏବଂ ଓଲପାଡ୍ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ମଧ୍ୟ ତାଙ୍କ ନାମରେ ଗୋଟିଏ ମାମଲା ରହିଛି । ତେବେ ଗୁଜୁରାଟରେ ଚିତ୍ରସେନଙ୍କର ବ୍ୟାପକ ସମ୍ପତ୍ତି ଥିବା ଏସ୍‌ଟିଏଫ୍ ସନ୍ଦେହ କରୁଛି । ତେଣୁ ଏନେଇ ଗୁଜୁରାଟ୍ ପୁଲିସ ସହ ଏସ୍‌ଟିଏଫ୍ ପକ୍ଷରୁ ଯୋଗାଯୋଗ କରାଯାଇଛି । ୨୦୨୧ ଅଗଷ୍ଟ ୧୩ତାରିଖରେ ଏସ୍‌ଟିଏଫ୍ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଚଢ଼ଉ କରି ଟାଟା ଟ୍ରକ୍ ସହ ୯୯୦ କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିଲା । ଏଥିରେ ସମ୍ପୃକ୍ତ ଥିବା ଜଣେ ଡ୍ରାଇଭରଙ୍କୁ ଏସ୍‌ଟିଏଫ୍ ଗିରଫ କରିଥିଲା । ଏହି ମାମଲାରେ ନିଶାବେପାରୀ ଅନିଲ ପାଣ୍ଡି ଓ ଚିତ୍ରସେନଙ୍କ ହାତ ଥିବା ଜଣାପଡ଼ିଥିଲା । ତେଣୁ ଏସ୍‌ଟିଏଫ୍ ଉଭୟଙ୍କ ନାମରେ କେସ୍ ନଂ ୨୯/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.