ଓଡ଼ିଶାରେ ୪୬ ରେଳଷ୍ଟେସନର ଉନ୍ନତୀକରଣ ଜାରି

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ୪୬ଟି ରେଳଷ୍ଟେସନରେ ଉନ୍ନତୀକରଣ କାର୍ଯ୍ୟ ଭାରତୀୟ ରେଳବାଇ ପକ୍ଷରୁ ଜାରି ରହିଛି । ଶୁକ୍ରବାର କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ରେ ଏସବୁ ରେଳଷ୍ଟେସନଗୁଡ଼ିକରେ ଉନ୍ନତୀକରଣ କାର୍ଯ୍ୟପାଇଁ ଭାରତୀୟ ରେଳବାଇ ୨୯୬ କୋଟି ଟଙ୍କା ପ୍ରଦାନ କରିଛି । ଏସବୁଗୁଡ଼ିକୁ ଆଦର୍ଶ ଷ୍ଟେସନ ଭାବେ ଗଢ଼ିତୋଳିବାକୁ ରେଳବାଇ ଲକ୍ଷ୍ୟ ରଖିଛି । ଏହି ୪୬ ରେଳଷ୍ଟେସନ ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ(ଏସଇଆର), ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ (ଏସଇସିଆର) ଓ ପୂର୍ବତଟ ରେଳପଥ (ଇସିଓଆର) ଅଧୀନରେ ଆସୁଛି । ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ ଅଧୀନରେ ଥିବା ଷ୍ଟେସନଗୁଡ଼ିକର ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୦ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଚଳିତ ଫେବୃଆରୀ ସୁଦ୍ଧା ଏଥିମଧ୍ୟରୁ ୮୧ କୋଟି ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ସେହିଭଳି ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ପ୍ରଦାନ ହୋଇଥିବା ୬୭ କୋଟି ୧୫ ଟଙ୍କାରୁ ୫୬ କୋଟି ଖର୍ଚ୍ଚ କରିଥିବା ବେଳେ ପୂର୍ବତଟ ରେଳପଥକୁ ମିଳିଥିବା ୮୯ କୋଟି ଟଙ୍କାରୁ ୫୪ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି । ଓଡ଼ିଶାରେ ଥିବା ବିଭିନ୍ନ ରେଳଷ୍ଟେସନର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୦୧୮-୧୯ରେ ୨୩୪ କୋଟି ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ଅର୍ଥରୁ ଏବେସୁଦ୍ଧା ୧୬୫ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଥିବା କେନ୍ଦ୍ର ମନ୍ତ୍ରୀ ଜଣାଇଛନ୍ତି । ତେବେ ୨୦୧୯-୨୦ ଓ ୨୦୨୦-୨୧ରେ ଓଡ଼ିଶାରେ ରେଳବାଇ ପ୍ରଦତ୍ତ ଟଙ୍କା ଠାରୁ ଅଧିକ ରାଶି ଖର୍ଚ୍ଚ କରିଥିବା ସେ କହିଛନ୍ତି । ୨୦୧୯-୨୦ରେ ୨୨୬ କୋଟି ୬ ଲକ୍ଷ ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ୨୩୨ କୋଟି ୬ ଲକ୍ଷ । ସେହିଭଳି ୨୦୨୦-୨୧ରେ ୩୨୦ କୋଟି ୧୯ ଲକ୍ଷ ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ୩୨୪ କୋଟି ୧ ଲକ୍ଷ ଟଙ୍କା । ରାଜ୍ୟର ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ରେଳଷ୍ଟେସନର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇ ଏଠିକାର ଯାତ୍ରୀଙ୍କୁ ସମସ୍ତ ପ୍ରକାରର ଅଧୁନିକ ସୁବିଧା ଯୋଗାଇଦେବାକୁ ପ୍ରୟାସ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.