ୱାର୍ଲ୍ଡ ପାରା ଆଥଲେଟିକ୍ସ ଗ୍ରାଁପ୍ରି’ରେ ଜୟନ୍ତୀଙ୍କୁ ବ୍ରୋଞ୍ଜ୍

ଭୁବନେଶ୍ୱର : ଓଡ଼ିଶାର ପାରା ଆଥଲେଟ୍ ଜୟନ୍ତୀ ବେହେରା ଦୁବାଇଠାରେ ଚାଲିଥିବା ଫାଜା ୱାର୍ଲ୍ଡ ପାରା ଆଥଲେଟିକ୍ସ ଗ୍ରାଁପ୍ରି’ରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ଗୁରୁବାର ପ୍ରତିଯୋଗିତାର ଉଦ୍‌ଯାପନୀ ଦିବସରେ ଟି-୪୭ ବର୍ଗରେ ଶହେ ମିଟର ଦୌଡ଼ରେ ଏହି ପଦକଟି ପାଇଛନ୍ତି । ଜୟନ୍ତୀ ୧୩.୧୬ ସେକେଣ୍ଡ୍‌ରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ପ୍ରତିଯୋଗିତାରେ ତାଙ୍କର ତୃତୀୟ ପଦକ ହାସଲ କରିଛନ୍ତି ।

ପୂର୍ବରୁ ଜୟନ୍ତୀ ଏହି ପ୍ରତିଯୋଗିତାରେ ୪୦୦ ମିଟର ଦୌଡ଼ରେ ୧ ମିନିଟ୍ ୦.୯୩ ସେକେଣ୍ଡ୍ ସହ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହାଛଡ଼ା ବୁଧବାର ସେ ୨୦୦ ମିଟର ଦୌଡ଼ରେ ୨୬.୯୪ ସେକେଣ୍ଡ୍ ସମୟ ସହ ରୌପ୍ୟ ପଦକ ମଧ୍ୟ ଜିତିଥିଲେ । ପ୍ରତିଯୋଗିତାର ୩ଟି ପଦକ ଜିତିଥିବାରୁ ତାଙ୍କୁ ପାରା ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା (ପିଏସ୍‌ଏଓ) ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି । ପ୍ରତିଯୋଗିତାଟି ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଜୟନ୍ତୀ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.