ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଦର -ଓଇଆରସି

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆରାମ ।  ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ୍ ଦର । ପୂର୍ବ ବର୍ଷର ଟାରିଫ୍ ଅପରିବର୍ତ୍ତିତ ରହିବ । ଏବେ ଡିଜିଟାଲରେ ବିଲ୍ ପୈଠକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିରେ ବିଲ୍ ଭରିଲେ ହିତାଧିକାରୀଙ୍କୁ ୩ ପ୍ରତିଶତ ରିହାତି ମିଳିବ । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ଏହି ଘୋଷଣା କରିଛି ।

ଗୁରୁବାର ଓଇଆର୍‌ସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଛନ୍ତି ଯେ ବିଦ୍ୟୁତ୍ ଶୁଳ୍କ ବାବଦରେ ଶୁଣାଣି ବେଳେ ଦର ନ ବଢ଼ାଇବାକୁ ରାଜ୍ୟ ସରକାର ଗତ ଫେବ୍ରୁଆରି ୨୦ରେ ଓଇଆରସିଙ୍କୁ ଅନୁରୋଧ କରିଥିଲେ । ବିଦ୍ୟୁତ୍ କ୍ରୟ ବାବଦ ଖର୍ଚ୍ଚ ୧୯ ପଇସା ବଢ଼ିଥିଲେ ବି ତାହାକୁ ‘ଆଡ୍‌ଜଷ୍ଟ’ କରି ଦର ନ ବଢ଼ାଇବାକୁ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ କୁହାଯାଇଥିଲା । ଏପରିକି ଏହି ବିତରଣ କମ୍ପାନୀଙ୍କ ପାଶ୍ୱର୍ରେ ୩୫୫ କୋଟିର ବଳକା ରାଶି ଥିବାରୁ ତାହାକୁ ମଧ୍ୟ ବିନିଯୋଗ କରିବାକୁ କୁହାଯାଇଛି । ସେଇ ଆଧାରରେ ଓଇଆର୍‌ସି ୨୦୨୨-୨୩ରେ ବିଦ୍ୟୁତ୍ ଦର ନ ବଢ଼ାଇ ନାହାନ୍ତି ।

ନିଷ୍ପତ୍ତି ଅନୁସାରେ ପୂର୍ବବର୍ଷ ଭଳି ‘୦’(ଶୂନ୍‌)ରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩ ଟଙ୍କା ରହିବ । ୫୦ରୁ ୨୦୦ ୟୁନିଟ୍ ଯାଏ ବିଦ୍ୟୁତ୍ ଦର ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ୍ ଯାଏ ୫ ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟ୍‌ରୁ ଅଧିକ ହେଲେ ଦର ୬ ଟଙ୍କା ୨୦ ପଇସା ରହିବ । ସହରାଞ୍ଚଳ ଉପଭୋକ୍ତା ସଂପୂର୍ଣ୍ଣ ବିଲ୍ ପୈଠ କରିବେ । ହେଲେ ଗ୍ରାମଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୧୦ ପଇସା ରିହାତି ମିଳିବ । କୃଷି କ୍ଷେତ୍ରରେ ଉଠାଜଳସେଚନ ପଏଣ୍ଟ୍ ନିମନ୍ତେ ୨ଟଙ୍କା ଓ ବିଦ୍ୟୁତ୍ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ରିହାତି ମିଳିବ । ଯଦି ଉପଭୋକ୍ତା ଡିଜିଟାଲରେ ବିଲ ପୈଠ କରନ୍ତି ତେବେ ତାଙ୍କୁ ୩ ପ୍ରତିଶତ ରିହାତି ମିଳିବାର ବ୍ୟବସ୍ଥା ହୋଇଛି ।  ଓଇଆର୍‌ସିଙ୍କ ଏହି ବିଦ୍ୟୁତ୍ ଦର ବୃଦ୍ଧି ନ ହେବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲାବେଳେ ବିଦ୍ୟୁତ୍ ଉପଭୋକ୍ତା ସଂଘ ଅସନ୍ତୋଷ ବ୍ୟକ୍ତ କରିଛି ।

Leave A Reply

Your email address will not be published.