ପ୍ରକାଶ ପାଇଲା +୨ ପରୀକ୍ଷା ସୂଚୀ : ଏପ୍ରିଲ ୪ରୁ ପ୍ରାକ୍ଟିକାଲ, ୨୮ରୁ ଥିଓରୀ

ମେ’୯ରୁ ଆରମ୍ଭ ହେବ ବିଜ୍ଞାନ ଷ୍ଟ୍ରିମ୍‌

ଭୁବନେଶ୍ୱର : ୨୦୨୨-୨୩ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ସୂଚୀ ପ୍ରକାଶ ପାଇଲା । ଥିଓରୀ ପରୀକ୍ଷା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ’ ୨୮ରେ ଶେଷ ହେବ । ଏପ୍ରିଲ ୨୮ରେ ଉଭୟ କଳା ଓ ବାଣିଜ୍ୟ ଷ୍ଟ୍ରିମର ଓଡ଼ିଆ ବିଷୟ ପରୀକ୍ଷା ରହିଛି । ୨୮ରୁ ଏନ୍‌ଟିଏର ଜେଇଇ, ନିଟ୍ ପରୀକ୍ଷା ଥିବାରୁ ବିଜ୍ଞାନ ଷ୍ଟ୍ରିମ୍ ପରୀକ୍ଷା ମେ’ ୯ରୁ ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୪ରୁ ୧୨ ପର୍ଯ୍ୟନ୍ତ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଛାତ୍ରଛାତ୍ରୀ କୌଣସି କାରଣରୁ ଯଦି ଫର୍ମ ପୂରଣ କରିନଥା’ନ୍ତି ତେବେ ସେମାନଙ୍କ ଲାଗି ପୁଣି ଫର୍ମ ପୂରଣ କରିବାକୁ +୨ ପରିଷଦ ପକ୍ଷରୁ ସୁଯୋଗ ଦିଆଯାଇଛି । ଏହି ଛାତ୍ରଛାତ୍ରୀମାନେ ଆସନ୍ତା ୨୮ଓ ୨୯ରେ ଫର୍ମ ପୂରଣ କରିପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୪୫୦ ଟଙ୍କା ଫାଇନ ଦେବାକୁ ହେବ । ପରୀକ୍ଷା ଫି’ ଦାଖଲ ଲାଗି ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି । ପରୀକ୍ଷା ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।

Leave A Reply

Your email address will not be published.