ଏପ୍ରିଲରୁ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଏପ୍ରିଲ୍ ମାସରୁ ରାଜ୍ୟର ବିଦ୍ୟାଳୟଗୁଡିକରେ ପୁଣି ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ । ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମ୍‌ଡିଏମ୍ ୟୁନିଟ୍ ନୋଡାଲ ଅଫିସର ଚିଠି ଲେଖିଛନ୍ତି । ସେ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋଭିଡ୍ ଗାଇଡ୍ ଲାଇନ୍ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟରେ କରୋନା ପାଇଁ ପ୍ରାୟ ୨ବର୍ଷ ହେବ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା । ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା ।

ସମ୍ପୃକ୍ତ ଅର୍ଥରାଶିକୁ ଅଭିଭାବକଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା । ଆଉ କିଛି ସ୍ଥାନରେ ଚାଉଳ ଓ ଡାଲି ମଧ୍ୟ ବଣ୍ଟନ କରାଯାଉଥିଲା । ମାତ୍ର ଏବେ କରୋନା ଗ୍ରାଫ୍ ଖସିବା ପରେ ସ୍କୁଲରେ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ପିଲାମାନେ କୋଭିଡ୍ ଗାଇଡ୍‌ଲାଇନ୍‌ରେ ସ୍କୁଲ ଆସି ପାଠ ପଢ଼ୁଛନ୍ତି । ପିଲାମାନେ ଯେପରି ସ୍କୁଲରେ ଭୋକିଲା ନରହିବେ, ସେଥିପ୍ରତି ଧ୍ୟାନ ଦେଇ ରାଜ୍ୟ ସରକାର ପୁଣି ଥରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.