ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ମା’

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ଦେଢ଼ମାସ ପୂରିଲାଣି । ହେଲେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି । ତେଣୁ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବିଶେଷକରି ମାନସଙ୍କ ମା’ ଯମୁନା ସ୍ୱାଇଁ ନିଜ ରୋଜଗାରିଆ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ପୁଲିସ ନ୍ୟାୟ ଦେବାରେ ବିଳମ୍ବ କରିବା ହେତୁ ସେ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରି କରିଛନ୍ତି । ମା’ ଯମୁନା କହିଛନ୍ତି, ଆମେ ନବୀନ ପଟ୍ଟନାୟକଙ୍କୁ ଭୋଟ୍ ଦେଇଛୁ । ମୋ’ ପୁଅକୁ ସେମାନେ କିପରି ନ୍ୟାୟ ଦେବେ । ମୁଖ୍ୟମନ୍ତ୍ରୀ କ’ଣ ଜାଣିନାହାନ୍ତି, ମୋ’ପୁଅ କିପରି ନ୍ୟାୟ ପାଇବ । ନବୀନ ବାବୁ ହିଁ ବୁଝନ୍ତୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପୁଲିସକୁ ଏହି ଘଟଣାରେ ଆଉ ଏକ ବଡ଼ ପ୍ରମାଣ ମିଳିଛି । ଧର୍ମଶାଳା ଅଞ୍ଚଳରୁ ମାନସଙ୍କ ମୋବାଇଲ୍‌କୁ ଚାନ୍ଦବାଲି ପୁଲିସ ଠାବ କରିଛି । ମାସକ ତଳେ ସ୍ଥାନୀୟ ଜାଲଶୁଖା ଗ୍ରାମର ଶ୍ରମିକ ସୁରେଶ ନାଏକ କାମ କରିବାକୁ ଯାଉଥିବାବେଳେ ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥ ଶଙ୍ଖାରିଡ଼ିହ ନିକଟସ୍ଥ ରାସ୍ତା ପାଶ୍ୱର୍ରୁ ଏକ ମୋବାଇଲ ପାଇଥିଲେ । ତେଣୁ ସେ ସେଠାରେ ଥିବା ପାନ ଦୋକାନୀ ସୁଶାନ୍ତ ଗୁରୁଙ୍କୁ ମୋବାଇଲକୁ ଦେଇଥିଲେ । ଉକ୍ତ ମୋବାଇଲକୁ ଫୋନ ଆସିବାରୁ ଦୋକାନୀ ଜଣକ ଠିକଣା ବତାଇଥିଲେ । ପରେ ଚାନ୍ଦବାଲି ପୁଲିସ ପହଞ୍ଚି ମୋବାଇଲ ପାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ଏଥିସହ ଧର୍ମଶାଳା ପୁଲିସ ଉପସ୍ଥିତିରେ ମୋବାଇଲ ଫୋନ୍‌ଟିକୁ ଜବତ କରାଯାଇଛି । ଏହି ମୋବାଇଲରୁ ଅନେକ ତଥ୍ୟ ମିଳିବ ବୋଲି ଆଶା ରହିଛି । ସୂଚନା ଅନୁଯାୟୀ, ଫେବୃୟାରୀ ୧୫ ଓ ୧୬ ତାରିଖରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଚାନ୍ଦବାଲି ପୁଲିସ ଥାନାକୁ ଡକାଇ ଜେରା କରିଥିଲା । ଏତଲା ଆଧାରରେ ପୁଲିସ ମାନସଙ୍କ ମୃତ୍ୟୁର ସୁରାଗ କାଢ଼ିବା ପାଇଁ ଶର୍ମିଷ୍ଠାଙ୍କୁ ଜେରା କରିଥିଲେ । ତେବେ ପୁଲିସ ଯଦି ଶର୍ମିଷ୍ଠାଙ୍କୁ ଜେରା କରିଥିଲା, ତା’ ହେଲେ ତାଙ୍କଠାରୁ କି ତଥ୍ୟ ପାଇଥିଲା? ଜେରାବେଳେ ଗିରଫ ହେବାର ଆଭାସ ପାଇ ଶର୍ମିଷ୍ଠା ଫେରାର୍ ହୋଇଗଲେ କି? ଏଭଳି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟିହୋଇଛି । ମାମଲାରେ ୬ଜଣ ଅଭିଯୁକ୍ତ ଥିବାବେଳେ ୩ଜଣ ଧରାପଡ଼ିଛନ୍ତି । ଶର୍ମିଷ୍ଠା, ଝୁନା ଓ ରାଜ ନାୟକ ନାମକ ଜଣେ ଯୁବକ ଫେରାର୍ ଅଛନ୍ତି । ଏମାନଙ୍କୁ କାବୁ କରିବାକୁ ଭଦ୍ରକ ପୁଲିସର ୩ଟି ଟିମ୍ ରାଜ୍ୟ ଏବଂ ରାଜ୍ୟ ବାହାରେ ଖୋଜାଖୋଜି କରୁଛନ୍ତି । ଏଥିସହ ପୁଲିସ ଟିମ୍ ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମ ଆଖପାଖରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ଜବତ କରିଛି । ଘଟଣା ପରଠୁ ଉକ୍ତ ସିସିଟିଭିରେ କଏଦ୍ ହୋଇଥିବା ଦୃଶ୍ୟକୁ ପୁଲିସ ଟିକିନିକି ଯଞ୍ଚକରୁଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୁଲିସ ଆଶା ରଖିଛି ।

Leave A Reply

Your email address will not be published.