ନବୀନ, ଧର୍ମେନ୍ଦ୍ର ପଖାଳ ଦିବସ ପାଳିଲେ

ଭୁବନେଶ୍ୱର : ବିଶ୍ୱ ପଖାଳ ଦିବସ(ମାର୍ଚ୍ଚ ୨୦)କୁ ବିଶ୍ୱବ୍ୟାପୀ ଓଡ଼ିଆ ଲୋକେ ଧୂମଧାମରେ ପାଳନ କରିଛନ୍ତି । ରାଜ୍ୟର ସବୁ ଅଞ୍ଚଳରେ ଲୋକେ ନିଜ ପରିବାର ସହ ମିଶି ପଖାଳ ଖାଇ ଏହି ଦିବସ ମନାଇଛନ୍ତି । ସେହିଭଳି ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକେ ମଧ୍ୟ ପଖାଳ ଦିବସ ପାଳିବାକୁ ଭୁଲିନାହାନ୍ତି । ସୋସିଆଲ୍ ମିଡିଆରେ ପଖାଳ ଦିବସ ଟ୍ରେଣ୍ଡ୍ କରିଥିବା ବେଳେ ସବୁ ଲୋକେ ନିଜର ଖାଇବା ବେଳର ଫଟୋ ଶେୟାର କରିଛନ୍ତି । ତେବେ ସବୁଠୁ ଚର୍ଚ୍ଚାରେ ରହିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଖାଳ ଖିଆ । ମୁଖ୍ୟମନ୍ତ୍ରୀ ଏକ ୩୫ ସେକେଣ୍ଡ୍‌ର ଭିଡିଓ ଶେୟାର କରି ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଥିଲେ । ଯେଉଁଥିରେ ସେ ଦହି ପଖାଳ, ଚୁନା ମାଛ ଭଜା, ଆଳୁ ଭଜା, ସଜନା ଛୁଇଁ ଭଜା, ବଡ଼ି ଚୁରା, ସାଗ ଓ କଲରା ଭଜା ଇତ୍ୟାଦିକୁ ବେଶ୍ ଖୁସିରେ ଖାଉଥିବା ନଜର ଆସୁଛନ୍ତି । ପଖାଳ ତାଙ୍କର ଭାରି ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜର ପଖାଳ ଖିଆ ଫଟୋ ଟ୍ୱିଟରରେ ଶେୟାର କରିଛନ୍ତି । ସେ ଲେଖିଛନ୍ତି, ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ‘ପଖାଳ’ର ସ୍ଥାନ ସ୍ୱତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ, ବରଂ ଖାଦ୍ୟପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ । ସଭିଙ୍କ ଖାଇବା ଟେବୁଲ୍‌ରେ ପଖାଳ ସବୁବେଳେ ହିଟ୍ । ଏହା ଏପରି ଏକ ବ୍ୟଞ୍ଜନ; ଯାହା ପ୍ରତିଟି ଓଡ଼ିଆ ପରିବାରରେ ଦେଖିବାକୁ ମିଳିବ । ପଖାଳ ମୋର ଅତି ପ୍ରିୟ । ଏହି ବିଶେଷ ଦିନରେ ‘ପଖାଳ’ ଖାଇ ମୁଁ ଅତ୍ୟନ୍ତ ଆନନ୍ଦିତ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା ବୋଲି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି । ଏହାବାଦ୍ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ରଞ୍ଜନ ଦାସ, ବିଧାୟକ ସୁରେଶ ରାଉତରାୟ ଓ ମୋହନ ମାଝୀଙ୍କ ପଖାଳ ଖିଆ ମଧ୍ୟ ଚର୍ଚ୍ଚାରେ ରହିଥିଲା ।

Leave A Reply

Your email address will not be published.