ଢିଙ୍କିଆ ମାମଲା :ସ୍ଥିତି ଜଣାଇବାକୁ ହାଇକୋର୍ଟଙ୍କ ଏସ୍ପିଙ୍କୁ ନିର୍ଦ୍ଦେଶ

କଟକ : ଢିଙ୍କିଆରେ ଅଶାନ୍ତି ଓ ହିଂସାକୁ ନେଇ ଗତ ମାର୍ଚ୍ଚ ୫ତାରିଖରେ ହାଇକୋର୍ଟ ପାଞ୍ଚଜଣିଆ କମିଟି ନିକଟରେ ଯେଉଁମାନେ ଆପତ୍ତି ଅଭିଯୋଗ ଜଣାଇ ପାରିନାହାନ୍ତି, ସେମାନେ ସତ୍ୟପାଠ ମାଧ୍ୟମରେ ତାହା ଜଣାଇବାକୁ ମାନ୍ୟବର ଅଦାଲତ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ଅଭିଯୋଗକୁ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦିଆଯିବା ପରେ ଏହାକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟକୁ ପ୍ରେରିତ କରାଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଏଥିସହିତ ଗତ ଜାନୁଆରୀ ୧୪ ତାରିଖରେ ଢିଙ୍କିଆରେ ପୁଲିସ ଓ ଜନତାଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ପରେ ଯେଉଁ ୪ଜଣ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ସେମାନଙ୍କ ବିରୋଧରେ କେଉଁ ଦଫା ଲାଗିଛି ସେ ବାବଦରେ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଜଗତସିଂହପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଯେଉଁମାନେ ଗ୍ରାମକୁ ଫେରିନାହାନ୍ତି ତା’ର କାରଣ କ’ଣ, ଗଣ୍ଡଗୋଳ ଘଟଣାରେ ସେମାନଙ୍କ କିଭଳି ସମ୍ପୃକ୍ତି ରହିଛି ତାହା ମଧ୍ୟ ଜଣାଇବାକୁ ଏସ୍‌ପିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ହାଇକୋର୍ଟଙ୍କ ଅନୁମତିକ୍ରମେ ଦ୍ୱିତୀୟଥର ପାଇଁ ହାଇକୋର୍ଟର ଏକ ସ୍ୱତନ୍ତ୍ର କମିଟି ମାର୍ଚ୍ଚ ୫ତାରିଖରେ ଢିଙ୍କିଆ ଗସ୍ତକରି ଜନଶୁଣାଣି କରିଥିଲା । ଏହି ଅବସରରେ ଲୋକଙ୍କର ମତାମତ ଗ୍ରହଣ କରାଯାଇଥିଲା । ଜନଶୁଣାଣି ପାଇଁ ସ୍ଥାନୀୟ ଜିଲ୍ଲାପାଳ, ଏସ୍‌ପି ସମସ୍ତ ବ୍ୟବସ୍ଥା କରିଥିଲେ । ମାତ୍ର ଜନଶୁଣାଣି ବେଳେ ସେଠାରେ ବିଶୃଙ୍ଖଳା ସୃଷ୍ଟିହୋଇଥିଲା । ଅନେକ ଲୋକଙ୍କୁ ଅଭିଯୋଗ କରିବାର ସୁଯୋଗ ମିଳିନଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ଏ ସଂକ୍ରାନ୍ତରେ ଆବେଦନକାରୀ ଅଦାଲତଙ୍କୁ ଜଣାଇବା ପରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.