ଅପହରଣ ପରେ ମୁଣ୍ଡ ଜାମିନ : ୩ ଗିରଫ

ଭୁବନେଶ୍ୱର: ହନୁମାନ କଏନ୍ ପାଇଁ ଜଣେ ଯୁବକଙ୍କୁ ଅପହରଣ କରି ୫ଲକ୍ଷ ଟଙ୍କା ମୁଣ୍ଡ ଜାମିନ । ଆଉ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଅପହୃତାଙ୍କୁ ଉଦ୍ଧାର କରିବା ସହ ୩ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ପ୍ରଶାନ୍ତ ଓ ହାପି ପୁଲିସ ହାତରୁ ଖସିଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀଚୌକର ପ୍ରଦୀପ କୁମାର ବେହେରା(୪୨), ବାଲେଶ୍ୱର ଜିଲ୍ଲା କଣ୍ଟପଡ଼ା ଥାନା ଅନ୍ତର୍ଗତ ବେଡିପୁରର ତୋଷିବାନନ୍ଦ ଗୋଚ୍ଛାୟତ(୩୧) ଓ ଭଦ୍ରକ ଟାଉନ ଥାନା ଅଞ୍ଚଳର ଭକ୍ତହରି ମହାପାତ୍ର(୪୭) । ଏନେଇ ପୁଲିସ କେସ୍ ନଂ ୬୨/୨୨ ଆଇପିସି ଧାରା ୩୬୪(କ)ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି । ଶୁକ୍ରବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

ପୁଲିସ ସୂଚନା ଅନୁଯାୟୀ, ଗତ ୯ ତାରିଖରେ ତମାଣ୍ଡୋ ଗାଁରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବାବନ ମହଲି(୪୭) ଥାନାରେ ଅଭିଯୋଗ କରିଥିଲେ ଯେ, ୮ତାରିଖରେ ତାଙ୍କ ପୁଅ ବିବେକାନନ୍ଦ ମହଲିଙ୍କୁ କେହି ଅପହରଣ କରିନେଇଛି । ଅପହରଣକାରୀମାନେ କଲ୍ କରି ଟଙ୍କା ଦେଲେ ପୁଅକୁ ଛାଡ଼ିବାକୁ କହୁଛନ୍ତି । ନହେଲେ ମାରିଦେବାକୁ ଧମକ ଦେଇଛନ୍ତି । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତୁରନ୍ତ ଅପହୃତାଙ୍କ ମୋବାଇଲ ଟ୍ରାକିଂ କରିଥିଲା । ମୋବାଇଲ୍ ଲୋକେସନ୍ ସଂଗ୍ରହ କରି ପୁଲିସ ଭରତପୁର ଥାନା ଅନ୍ତର୍ଗତ ଏସ୍‌ଜି ପ୍ୟାଲେସ୍‌ର ରୁମ୍ ନଂ ୧୯ରେ ଚଢ଼ଉ କରିଥିଲା । ସେଠାରୁ ପୁଲିସ ବିବେକାନନ୍ଦଙ୍କୁ ଉଦ୍ଧାର କରିବା ସହ ୩ଜଣଙ୍କୁ କାବୁ କରିଥିବାବେଳ ଦୁଇଜଣ ଖସି ପଳାଇଥିଲେ ।

ଘଟଣାର ଅଧିକ ତଦନ୍ତ କରିବାରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ କଟକର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହନୁମାନ ଟଙ୍କା ପାଇଁ ୩ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ । ହନୁମାନ ଟଙ୍କା ବିକ୍ରି କରିବାର ମୁଖ୍ୟକାର୍ପଟଦାର ବିବେକାନନ୍ଦ ବୋଲି ପ୍ରଶାନ୍ତ ଅଭିଯୁକ୍ତମାନଙ୍କୁ କହିଥିଲେ । ଏମିତିକି ବିବେକାନନ୍ଦଙ୍କ ଠାରୁ ହନୁମାନ୍ କଏନ୍ ଆସିବ ବୋଲି ପ୍ରଶାନ୍ତ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପ୍ରଶାନ୍ତ ବିବେକାନନ୍ଦଙ୍କୁ ହନୁମାନ ଟଙ୍କା ପାଇଁ ସମସ୍ତ ଟଙ୍କା ଦେଇଥିଲେ ।

ଏହିପରେ ବିବେକାନନ୍ଦ ଦିନେଶ, ତୃପ୍ତି, ରାଜୀବ ନାମକ ୩ଜଣ ଯୁବକଙ୍କ ଟଙ୍କା ଦେଇଥିଲେ । ସେମାନେ ହନୁମାନ ଟଙ୍କା ଆଣିବାକୁ ଯାଉଛୁ କହି କୋଲକାତା ଯାଇଛନ୍ତି ଯେ ଫେରିନାହାନ୍ତି । ଏହାପରେ ପ୍ରଶାନ୍ତଙ୍କ ଗିରଫ ଅଭିଯୁକ୍ତମାନେ ଟଙ୍କା ମାଗିବାରୁ ସେ ବିବେକାନନ୍ଦଙ୍କୁ ହନୁମାନ ଟଙ୍କା ମାଗିଥିଲେ । ହେଲେ ହନୁମାନ ଟଙ୍କା କୋଲକାତାରୁ ଆସିବ ବୋଲି ବିବେକାନନ୍ଦ କହିଥିଲେ । ହେଲେ ଟଙ୍କା ଦେବାର ୧୫ରୁ ୨୦ଦିନ ପୁରିଯାଇଥିଲେ ବି ହନୁମାନ ଟଙ୍କା ଆସିନଥିଲା ।

ଏହାପରେ ପ୍ରଶାନ୍ତ, ହାପି ଓ ଗିରଫ ଅଭିଯୁକ୍ତମାନେ ମିଶି ବିବେକାନନ୍ଦଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ଆଉ ଧରାଛୁଆଁ ଦେଇନଥିଲେ । ତେଣୁ ଗତ ୮ତାରିଖରେ ବିବେକାନନ୍ଦଙ୍କୁ ଏମାନେ ଅପହରଣକରି ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ରଖିଥିଲେ । ସେଠାରେ ରଖି ତାଙ୍କ ଘରଲୋକଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ସେଠାରେ ଚଢ଼ଉ କରିଥିଲା । ପୁଲିସକୁ ଦେଖି ସେଠାରୁ ପ୍ରଶାନ୍ତ ଓ ହାପି ଫେରାର୍ ହୋଇଯାଇଛନ୍ତି ।

ଅପହୃତା ଅଟକ

ରାଜ୍ୟରେ ହନୁମାନ ଟଙ୍କା କାରବାର ନେଇ କୋଟିକୋଟି ଟଙ୍କା ଠକେଇ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଏନେଇ ପୁଲିସ ଅପହୃତା ବିବେକାନନ୍ଦକୁ ଅଟକ ରଖି ପଚରାଉଚରା କରୁଛି । କେବେଠାରୁ ଏହି ହନୁମାନ ଟଙ୍କା କାରବାର ହେଉଛି, କିଏକିଏ ଏଥିରେ ସମ୍ପୃକ୍ତ ଅଛନ୍ତି, ବିଭିନ୍ନ ଦିଗକୁ ନେଇ ପୁଲିସ ପଚରାଉଚରା କରୁଛି । ଆବଶ୍ୟକ ହେଲେ ବିବେକାନନ୍ଦଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.