ବସ୍ତି ଭୋଟ୍ ଉପରେ ସବୁ ପ୍ରାର୍ଥୀଙ୍କ ନଜର

ଭୁବନେଶ୍ୱର : ମଇଦାନରେ ତିନି ପ୍ରମୁଖ ଦଳର ‘ମେୟର’ ପ୍ରାର୍ଥୀ । ସେଥିପାଇଁ ଆରମ୍ଭରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ରାଜନୀତି ଉଷ୍ଣ । ବସ୍ତି ଭୋଟ୍ ଉପରେ ସବୁ ଦଳ ଓ ସବୁ ପ୍ରାର୍ଥୀଙ୍କର ରହିଛି ନଜର । କାରଣ ଅତୀତରେ ହୋଇଥିବା ପ୍ରାୟ ସବୁ ନିର୍ବାଚନରେ ବସ୍ତି ଭୋଟ୍ ହିଁ ନିର୍ଣ୍ଣାୟକ ହୋଇଛି । ତେଣୁ ଏଥର ବି ସମାନ ସ୍ଥିତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କେବଳ ଶାସକ ବିଜେଡି ନୁହେଁ, କଂଗ୍ରେସ ଓ ବିଜେପି ଭୋଟ୍ ହାତେଇବାକୁ ନୂଆ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଯେଉଁ ଦଳ ଏଥିରେ ସଫଳ ହେବ; ସେଇ ଦଳ ବାଜିମାରିବ ।

୨୦୧୧ ଜନଗଣନା ଅନୁଯାୟୀ ୬୭ ୱାର୍ଡ ବିଶିଷ୍ଟ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ମୋଟ୍ ୮.୪୦ ଲକ୍ଷ ଲୋକସଂଖ୍ୟା ଥିଲେ । ସେଥିରୁ ୧୮୬ ପଞ୍ଜିକୃତ ବସ୍ତିରେ ଲୋକସଂଖ୍ୟା ଥିଲା ୩,୦୧,୬୧୧ । ୪୬ଟି ରାଜସ୍ୱ ଗ୍ରାମ ମଧ୍ୟ ଏହା ଅଧୀନରେ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ସ୍ମାଟ୍ ସିଟିର ଲୋକସଂଖ୍ୟା ପ୍ରାୟ ୧୫.୨ ଲକ୍ଷ ଥିଲାବେଳେ ୪୪୮ ପଞ୍ଜିକୃତ ବସ୍ତିରେ ଲୋକସଂଖ୍ୟା ପ୍ରାୟ ସାଢ଼େ ୪ ଲକ୍ଷ । ସେଥିରୁ ଭୋଟର୍‌ଙ୍କ ସଂଖ୍ୟା ପ୍ରାୟ ୨.୫ ଲକ୍ଷରୁ ଅଧିକ । ତିନି ଦଳ ଏହି ବସ୍ତି ଭୋଟ୍‌ରଙ୍କୁ ଭେଟି ନିଜ ଦଳ ସପକ୍ଷରେ ଭୋଟ୍ ହାତେଇବାକୁ ଚେଷ୍ଟା କରିବା ଆରମ୍ଭ କରିଛନ୍ତି ।

ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସ ବିଜେଡିରୁ ଲଢ଼ୁଥିଲାବେଳେ ବିଜେପିରୁ ସୁନୀତି ମୁଣ୍ଡ ଏବଂ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ମଇଦାନରେ ଅଛନ୍ତି । ସାମ୍ବାଦିକାରୁ ରାଜନେତା ବନିଥିବା ସୁଲୋଚନା ଦାସ ୨୦୧୭ରେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିକୁ ଆସିବା ପୂର୍ବରୁ ସେ କଂଗ୍ରେସ ମୁଖପାତ୍ର ଭାବେ ନିଯୁକ୍ତ ଥିଲେ । ଶ୍ରୀମତି ଦାସ ଭୋଟ୍ ପାଇଁ ଦୁଇଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି । ତାହା ହେଉଛି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ବସ୍ତି ପାଇଁ ସରକାରୀ ଯୋଜନା । ସେହିପରି ସାମ୍ବାଦିକା ଓ ସାହିତ୍ୟିକାରୁ ରାଜନେତ୍ରୀ ବନିଥିବା ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ମଇଦାନ ଓହ୍ଲାଇଛି । ଅନ୍ୟପକ୍ଷରେ ରାଜନୈତିକ ପରିବାରର ଅର୍ଥାତ୍ ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ବୋହୂ ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ପ୍ରାର୍ଥୀ ହୋଇ ଦଳକୁ ନୁହେଁ, ପ୍ରାର୍ଥୀଙ୍କୁ ଦେଖି ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ତେବେ ତିନି ପ୍ରାର୍ଥୀଙ୍କ ଅସଲ ନଜର ରହିଛି ବସ୍ତି ଭୋଟ୍ ଉପରେ । ନାମାଙ୍କନ ଭରିବା ପରେ ତିନିନେତ୍ରୀ ବସ୍ତି ବୁଲା ଆରମ୍ଭ କରିଛନ୍ତି ।

କଟକରେ ବି ସମାନ ସ୍ଥିତି । ୫୯ ୱାର୍ଡ ବିଶିଷ୍ଟ ଏହି ସିଲ୍‌ଭର ସିଟିରେ ୧୯୯୧ ଜନଗଣନାରେ ଲୋକସଂଖ୍ୟା ଥିଲା ୬,୧୦,୧୮୯ । ଏବେ ଲୋକସଂଖ୍ୟା ପ୍ରାୟ ୮ଲକ୍ଷ ହେବ । ୨୬୪ ପଞ୍ଜିକୃତ ବସ୍ତିରେ ପ୍ରାୟ ଦୁଇଲକ୍ଷ ଲୋକ ବସବାସ କରୁଛନ୍ତି । ଫଳରେ ଭୋଟର୍‌ଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ହେବ । ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ନାମ ଘୋଷଣା ହୋଇଥିଲାବେଳେ କଂଗ୍ରେସର ଗିରିବାଳା ବେହେରା ପ୍ରାର୍ଥୀ ହୋଇଛନ୍ତି । ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀକରିଛି ବିଜେପି । ଏଠି ବି ବସ୍ତିଭୋଟ୍ ଉପରେ ସବୁ ରାଜନୈତିକ ଦଳର ନଜର । ଅନ୍ୟପକ୍ଷରେ ୩୭ ୱାର୍ଡ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମରେ ୨୦୧୧ ଜନଗଣନାନୁସାରେ ମୋଟ୍ ଲୋକସଂଖ୍ୟା ୩.୫୬ ଲକ୍ଷ ଥିଲାବେଳେ ବସ୍ତି ଜନସଂଖ୍ୟା ପ୍ରାୟ ଲକ୍ଷେ ଥିଲା । ଏବେ ଲୋକସଂଖ୍ୟା ପ୍ରାୟ ୫ ଲକ୍ଷ ହୋଇଥିଲାବେଳେ ବସ୍ତି ଜନସଂଖ୍ୟା ବଢ଼ି ଦେଢ଼ ଲକ୍ଷ ହୋଇଛି ।

ସେହି ଅନୁପାତରେ ବସ୍ତି ଭୋଟ୍ ବି ବଢ଼ିଛି । ଚଳିତ ବ୍ରହ୍ମପୁର ନିର୍ବାଚନରେ ବିଜେଡିରେ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିଲାବେଳେ କଂଗ୍ରେସର ମଞ୍ଜୁ ରଥ ଓ ବିଜେପିରୁ ସବିତା ସୁଆର ମେୟର ପ୍ରାର୍ଥୀଙ୍କ ହୋଇଛନ୍ତି ।  ପ୍ରାର୍ଥୀଙ୍କ ନାମ ପଦାକୁ ଆସିବା ପରେ ତିନି ମହାନଗରନିଗମରେ ଲଢ଼େଇ ଜୋରଦାର୍ ହୋଇଛି । ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ସିଧାସଲଖ ଟକ୍କର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଶାସକ ଦଳ ବସ୍ତି ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନହିତକାରୀ ଯୋଜନା ଉପରେ ନଜର ରଖିଥିବା ଦେଖାଯାଇଛି । ସେହି ଯୋଜନାଗୁଡ଼ିକ ହେଉଛି ଜାଗା ମିଶନ, ରାଜୀବ ଆବାସ ଯୋଜନା, ମୁକ୍ତା, ବସ୍ତିରେ ସଡ଼କ ପଥର ଉନ୍ନତି ପାଇଁ ସିୟୋର ପ୍ରୋଜେକ୍ଟ, ବିଜୁ ହେଲ୍‌ଥ କାର୍ଡ, ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌, ଭିତ୍ତିଭୂମି ଉନ୍ନୟନ ପାଣ୍ଠି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଆହାର ଓ ଏନ୍‌ଆରଜିଏସ୍ ଭଳି ଅନେକ । ବିଜେଡି ଏହାକୁ ଆଧାର କରି ଭୋଟ୍ ହାତେଇବାକୁ ଚେଷ୍ଟା କରଇଥିଲେ ହେଁ କଂଗ୍ରେସ ଓ ବିଜେପି ମଧ୍ୟ ପଛରେ ପଡ଼ିନାହାନ୍ତି । ବସ୍ତି ଭୋଟର୍‌ଙ୍କୁ ଏବେଠୁ ମନେଇବା ଆରମ୍ଭ କରିଛନ୍ତି । ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ ହୋଇଛି, ବସ୍ତିରେ ବିଜେଡି ‘ଦବ୍‌ଦବା’ ଥିଲେ ହେଁ ଗତ ୨୦୧୯ ସାଧାରଣ ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଚକ୍‌ମା ଦେଇଥିଲେ । ସେ ବହୁ ସଂଖ୍ୟାରେ ବସ୍ତି ଭୋଟ୍ ପାଇ ସାଂସଦ ଭାବେ ବିଜୟୀ ହୋଇଥିଲେ । ଏଥର ବି ଅପରାଜିତା ତାଙ୍କ ଦଳର ମେୟର ପ୍ରାର୍ଥୀଙ୍କୁ ନେଇ ରାଜଧାନୀର ବସ୍ତି ସହ ଗଳିକନ୍ଦିରେ ବୁଲିବେ ବୋଲି ସୂଚନା ଦେଇଛନ୍ତି । ସେହିପରି କଟକ ଓ ବ୍ରହ୍ମପୁରରେ ବି ଅନୁରୂପ ସ୍ଥିତି । ହେଲେ ବସ୍ତି ଭୋଟ୍ ନିଶ୍ଚିତ ଭାବରେ ନିର୍ଣ୍ଣାୟକ ହେବ ବୋଲି ରାଜନୀତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ।

Leave A Reply

Your email address will not be published.