୧୦୯ ପୌରସଂସ୍ଥାରେ ୭,୧୫୨ ପ୍ରାର୍ଥୀଙ୍କ ମନୋନୟନ

ଭୁବନେଶ୍ୱର : ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇଥିବା ପୌର ନାମାଙ୍କନ ପ୍ରକ୍ରିୟା ଆଜି ଶେଷ ହୋଇଛି । ଶେଷ ଦିନରେ ନାମାଙ୍କନ ଭରିବା ଲାଗି ରାଜ୍ୟର ସମସ୍ତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରାର୍ଥୀ ଏବଂ ସମର୍ଥକଙ୍କର ପ୍ରବଳ ଭିଡ଼ ଜମିଥିଲା । ଅନ୍ତିମ ଦିନରେ ମୋଟ ୫୦୪୫ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ଏଥିସହ ୨ରୁ ୭ ତାରିଖ ମଧ୍ୟରେ ଦାଖଲ ହୋଇଥିବା ନାମାଙ୍କନ ପତ୍ରକୁ ମିଶାଇଲେ ଏଥର ପୌରନିର୍ବାଚନରେ ରାଜ୍ୟର ମୋଟ ୧୦୯ ପୌରସଂସ୍ଥା ପାଇଁ ୭,୧୫୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ।

ରାଜ୍ୟର ୧୦୬ ଏନଏସି ଓ ମ୍ୟୁନିସିପାଲିଟି ଏବଂ ୩ ମହାନଗର ନିଗମ ପାଇଁ ୭,୧୫୨ ଜଣ ପ୍ରାର୍ଥୀ ନାମଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୫୯ ଜଣ କାଉନସିଲର ତଥା କର୍ପୋରେଟର ପଦ ଲାଗି ଏବଂ ୬୯୩ ଜଣ ପୌରାଧ୍ୟକ୍ଷ ତଥା ମେୟର ପଦଲାଗି ନାମାଙ୍କନ ଦାଖଲ କରିଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ରାଜ୍ୟବ୍ୟାପୀ ୫୦୪ ଜଣ କାଉନସିଲର/କର୍ପୋରେଟର ପଦପାଇଁ ଏବଂ ୪,୫୪୧ ଜଣ ପୌରାଧ୍ୟକ୍ଷ/ମେୟର ପଦପାଇଁ ନାମାଙ୍କନ ଭରିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ଥିବା ମୋଟ ୬୭ ୱାର୍ଡରେ କର୍ପୋରେଟର ଓ ମେୟର ପଦ ପାଇଁ ୩୭୧ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ସେମାନଙ୍କ ମଧ୍ୟରେ ମେୟର ପଦ ପାଇଁ ୧୨ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ କର୍ପୋରେଟର ପଦ ପାଇଁ ୩୬୦ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସେହିପରି କଟକ ମହାନଗର ନିଗମର ୫୯ ୱାର୍ଡରେ କର୍ପୋରେଟର ଓ ମେୟର ପଦପାଇଁ ୨୮୧ ନାମାଙ୍କନ ପତ୍ର ଦାଖଲ ହୋଇଛି । ସେଥିରୁ ମେୟର ପଦ ପାଇଁ ୨୨ଟି ନାମାଙ୍କନ ହୋଇଥିବା ବେଳେ କର୍ପୋରେଟର ପଦ ପାଇଁ ୨୫୯ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ବ୍ରହ୍ମପୁର ମହାନଗର ନିଗମରେ ୪୨ଟି ୱାର୍ଡ ଥିବା ବେଳେ ସମୁଦାୟ ୧୭୫ ଜଣ ନାମାଙ୍କନ ଭରିଛନ୍ତି । ସେଥିରୁ ମେୟର ପଦ ପାଇଁ ୯ଟି ନାମାଙ୍କନ ହୋଇଥିବା ବେଳେ କର୍ପୋରେଟର ପଦ ପାଇଁ ୧୬୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।         ଆସନ୍ତା ୯ ତାରିଖରେ ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହୁଁଥିଲେ, ଆସନ୍ତା ୧୪ ତାରିଖ ଦିନ ୩ଟା ପୂର୍ବରୁ ତାହା କରିପାରିବେ । ପରେ ଅବଶିଷ୍ଟ ପ୍ରାର୍ଥୀଙ୍କ ପାଇଁ ଆଗାମୀ ୨୪ ତାରିଖରେ ମତଦାନ କରାଯିବ । ଏଥର ସହରାଞ୍ଚଳର ପ୍ରତ୍ୟେକ ଭୋଟର ଦୁଇଟି ଲେଖାଏ ଭୋଟ୍ ଦେବେ । ଗୋଟିଏ ଭୋଟ୍ କାଉନସିଲର/କର୍ପୋରେଟର ପାଇଁ ଏବଂ ଅନ୍ୟଟି ପୌରାଧ୍ୟକ୍ଷ/ମେୟର ବାଛିବା ପାଇଁ । ଏଣୁ ପ୍ରତି ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ଏଥର ପ୍ରଥମ କରି ଇଭିଏମ୍‌ରେ ନୋଟା ବିକଳ୍ପ ମଧ୍ୟ ରଖାଯିବ । ମତଦାନ ପରେ ସମସ୍ତ ଇଭିଏମ୍ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବା ସହ ୨୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.