‘ନିଜ ଭୋଟ୍ କଦାପି ବିକ୍ରି କରନ୍ତୁନି’

ଭୁବନେଶ୍ୱର: ଚଳିତ ପୌର ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମକୁ ନେଇ ଅଧିକ ଚର୍ଚ୍ଚା ଲାଗିରହିଛି । ପ୍ରଥମ ଥର ମେୟରଙ୍କ ପାଇଁ ଅଲଗା ମତଦାନ ହେଉଥିବାରୁ ଏହି ପଦ ହାତେଇବାକୁ ବିଜେଡି ଓ ବିଜେପି ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳର ନିର୍ବାଚନୀ ମଙ୍ଗ ଧରିଛନ୍ତି । ବିଶେଷ କରି ବସ୍ତି ଅଞ୍ଚଳର ଭୋଟରଙ୍କ ଉପରେ ତାଙ୍କର ଫୋକସ ଅଧିକ ରହିଛି । ଏହି ପରିପ୍ରେକ୍ଷୀରେ ବସ୍ତି ବାସିନ୍ଦା ନିଜ ଭୋଟ୍ ବିକ୍ରି ନକରିବାକୁ ସେ ଅନୁରୋଧ କରିଛନ୍ତି । ଜନ ଔଷଧୀ ଦିବସ କାର୍ଯକ୍ରମରେ ଅଂଶଗ୍ରହଣ କରିବା ପରେ ଗଣମାଧ୍ୟମ ଆଗରେ ସାଂସଦ ପ୍ରତିକ୍ରିୟା ରଖି ଏହି ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରର ସାଢ଼େ ଚାରି ଶହ ବସ୍ତିରେ ରହୁଥିବା ବସ୍ତି ବାସିନ୍ଦା ନିଜର ଭୋଟ୍ ନବିକନ୍ତୁ । ଯିଏ ବିକାଶ କରିପାରିବ, ତାକୁ ଭୋଟ୍‌ଦେଇ ବାଛନ୍ତୁ । ଡ୍ରେନେଜ୍‌, ବସ୍ତି, ଭେଣ୍ଡିଂ ଜୋନ୍‌, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଏହି ପାଞ୍ଚଟି ପ୍ରସଙ୍ଗକୁ ନେଇ ବିଜେପି ଏଥର ପୌର ମୈଦାନକୁ ଓହ୍ଲାଇବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

ସେ କହିଛନ୍ତି ଯେ ୨୦ ବର୍ଷର ଶାସନ କାଳ ଭିତରେ କାହିଁକି ବସ୍ତି, ବସ୍ତି ହୋଇ ରହିଯାଇଛି । ବସ୍ତିରେ ବାସ କରୁଥିବା ଲୋକଙ୍କ ଜୀବନଧାରଣର ମାନ ଯେମିତି ହେବା କଥା ତାହା ହୋଇନାହିଁ । ସେହିଭଳି ରାଜଧାନୀରେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ପାଇଁ ବଡ଼ ଧରଣର ମାଷ୍ଟରପ୍ଲାନ୍ ହେବା କଥା । ମାତ୍ରର ସ୍ଥାୟୀ ସମାଧାନ ଏଯାଏ ହୋଇପାରିଲା ନାହିଁ । ଅନ୍ୟଏକ ସମସ୍ୟା ହେଉଛି ଭେଣ୍ଡିଂ ଜୋନ୍ । ପୂର୍ବରୁ କର୍ପୋରେଟ୍‌ର ଓ ମେୟରଙ୍କ ଜରିଆରେ ଆମେ ବହୁତ ଭେଣ୍ଡିଂ ଜୋନ୍ କରିଥିଲୁ । ଉଠା ଦୋକାନୀମାନଙ୍କୁ ଥଇଥାନ୍ କରିଥିଲୁ । କିନ୍ତୁ ବର୍ତ୍ତମାନ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି । ପ୍ରଥମେ ସେମାନଙ୍କୁ ଥଇଥାନ କରି ପରେ ଅଟ୍ଟାଳିକା ନିର୍ମାଣ ହେଉ ବୋଲି ସେ କହିଛନ୍ତି । ସମାନଭାବେ କେବଳ ମନ୍ଦିର ଭାଙ୍ଗି ସୌନ୍ଦର୍ଯ୍ୟକରଣ ନକରି ସହରର ଗଳିକନ୍ଦିରେ ମଧ୍ୟ ସୌନ୍ଦର୍ଯ୍ୟକରଣ ହେଉ ବୋଲି ସେ କହିଛନ୍ତି । ଏହାସହ ରାଜଧାନୀରେ ବଢ଼ିଚାଲିଥିବା ଡକାୟତିକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ବୋଲି ସେ କହିଛନ୍ତି । ଏହାସହ ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌର ନିର୍ବାଚନରେ ପଡ଼ିବ ନାହିଁ ବୋଲି କହିବା ସହ ସବୁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ରହିଛି ଏବଂ ସମସ୍ତେ ଲଢ଼ିବାକୁ ଚାହୁଁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.