ଶେଷ ଦିନରେ ୨୩୭ ପ୍ରାର୍ଥୀଙ୍କ ନାମାଙ୍କନ

ବିଏମ୍‌ସି ନିର୍ବାଚନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସାଧାରଣ ନିର୍ବାଚନ-୨୦୨୨ ପାଇଁ ମନୋୟନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଶେଷ ଦିନରେ ୭ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଛନ୍ତି । ରବିବାର ସୁଦ୍ଧା ୫ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ପ୍ରାର୍ôଥପତ୍ର ଦାଖଲ କରିଥିବା ବେଳେ ଆଜିକୁ ମିଶାଇ ମୋଟ୍ ୧୨ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଠାରେ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେହିପରି କର୍ପୋରେଟର ପଦବୀ ପାଇଁ ଶେଷ ଦିନରେ ୨୩୦ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ଗତକାଲି ସୁଦ୍ଧା ମନୋନୟନ ପତ୍ର ଦାଖଲ କରିଥିବା ୧୩୦ ଜଣ କର୍ପୋରେଟର ପ୍ରାର୍ଥୀଙ୍କୁ ମିଶାଇ ମୋଟ୍ ୩୬୦ ଜଣ ପ୍ରାର୍ଥୀ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ଆଜି ମନୋନୟନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ଏବଂ ସେମାନଙ୍କର ପ୍ରସ୍ତାବକଙ୍କ ଗହଳି ଦେଖିବାକୁ ମିଳିଥିଲା । ତେବେ ନିର୍ଦ୍ଧାରିତ ସମୟ ପୂର୍ବାହ୍ଣ ୧୧ଟାରୁ ଅପରାହ୍ନ ୩ଟା ସୁଦ୍ଧା ଯେଉଁ ପ୍ରାର୍ଥୀମାନେ ମନୋନୟନ କେନ୍ଦ୍ର ଭିତରକୁ ଆସି ସାରିଥିଲେ,ସେମାନଙ୍କର ମନୋନୟନ ପତ୍ର ଗ୍ରହଣ କରାଯାଇଥିଲା ।

ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡ ପାଇଁ ମନୋନୟନ କେନ୍ଦ୍ରରେ ୧୧ଟି କାଉଣ୍ଟରରେ ପ୍ରାର୍ଥୀମାନେ କାର୍ଯ୍ୟରତ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ଠାରେ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କଠାରେ ମେୟର ପ୍ରାର୍ଥୀମାନେ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଥିଲେ । ଆଜି ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ ମନୋନୟନ କେନ୍ଦ୍ର ପରିଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ସହିତ ପ୍ରାର୍ôଥପତ୍ର ଦାଖଲ ପ୍ରକ୍ରିୟା ତଥା ନିର୍ବାଚନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଜନଗହଳିକୁ ଦୃଷ୍ଟିରେ ରଖି ମନୋନୟନ କେନ୍ଦ୍ରରେ ଅଧିକ ସୁରକ୍ଷା ପାଇଁ କମିଶନରେଟ୍ ପୁଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଶୃଙ୍ଖଳା ରକ୍ଷା ପାଇଁ ଓଏସ୍‌ଏପି ୭ମ ବାଟାଲିୟନର ସୁରକ୍ଷା ବାହିନୀ ଏବଂ ବେସାମରିକ ପ୍ରତିରକ୍ଷା ସଂଗଠନ ସ୍ୱେଚ୍ଛାସେବୀମାନଙ୍କର ସହାୟତା ନିଆଯାଇଥିଲା ।

Leave A Reply

Your email address will not be published.