ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ବର କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ୱର: ପୌର ନିର୍ବାଚନକୁ ନେଇ ଭୁବନେଶ୍ୱରରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ମେୟର ପ୍ରାର୍ଥୀକୁ ନେଇ ୩ ପ୍ରମୁଖ ଦଳ ଭିତରେ ଅଙ୍କକସା ଚାଲିଥିବାବେଳେ ପ୍ରଦେଶ କଂଗ୍ରେସ ଆଗୁଆ ମଇଦାନକୁ ଓହ୍ଲାଇଛି । ବିଏମ୍‌ସି ନିର୍ବାଚନ ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ ଶୁକ୍ରବାର ଘୋଷଣା କରିବ ବୋଲି ସୂଚନା ମିଳିଛି ।

ଏଥର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ କଂଗ୍ରେସର ମେୟର ପ୍ରାର୍ଥୀ ତାଲିକାରେ ୩ ଆଶାୟୀ ରହିଛନ୍ତି । ତାଲିକାରେ ଏକାମ୍ର ବିଧାୟକ ପ୍ରାର୍ଥୀ ରଶ୍ମୀ ମହାପାତ୍ର, ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ସୁଭଦ୍ରା ମିଶ୍ର ଓ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ବୋହୂ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ସୁପାରିଶ କରାଯାଇଛି । ଏହି ୩ଜଣଙ୍କ ମଧ୍ୟରୁ ମଧୁସ୍ମିତାଙ୍କ ନାଁରେ ଦଳ ମୋହର ମାରିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତ, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡିଶୀ ନୃତ୍ୟ ଶିଳ୍ପୀ ମଧ୍ୟ । ସେ କଲେଜରେ ଛାତ୍ରୀ ରାଜନୀତିରେ ଜଡ଼ିତ ଥିଲେ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ସେ ପ୍ରତ୍ୟକ୍ଷ ଭାବରେ ନିର୍ବାଚନ ପରିଚାଳନା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ମଧୁସ୍ମିତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ଭାବେ ଚୟନ କରିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷେ ରଶ୍ମି ମହାପାତ୍ର ଏକାମ୍ର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ସେ ସାଧାରଣ ନିର୍ବାଚନରେ ସେତେମାତ୍ରାରେ ଭଲ ପ୍ରଦର୍ଶନ କରିନଥିଲେ । ତେଣୁ ଦଳ ତାଙ୍କ ଉପରେ ଭରସା କରିପାରୁନାହିଁ । ସେହିପରି ସୁଭଦ୍ରା ମିଶ୍ର ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ବି ଦଳ ପାଇଁ ତାଙ୍କର କୌଣସି ଆଖିଦୃଶିଆ କାର୍ଯ୍ୟ ଅତୀତରେ ଦେଖାଯାଇନାହିଁ । ତେଣୁ ତାଙ୍କୁ କଂଗ୍ରେସର ଚୟନ କମିଟି ବିଶ୍ୱାସ କରିନାହିଁ । ଏହିସବୁ ପରେ କଂଗ୍ରେସ ଜଣେ ଯୁବ ଓ ନୂଆମୁହଁଙ୍କୁ ମେୟର ପ୍ରାର୍ଥୀ କରିବାକୁ ପୂର୍ବରୁ ନିଷ୍ପତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.