ପୂର୍ବତନ ବିଧାୟକ ଅଜିତ ଦାସଙ୍କ ପରଲୋକ

ଭବାନୀପାଟଣା: ଭବାନୀପାଟଣାର ପୂର୍ବତନ ବିଧାୟକ ଅଜିତ ଦାସ(୭୮)ଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନଧରି ଅସୁସ୍ଥ ଥିବା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେ ଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସଙ୍କ ବଡ଼ ଭାଇ। ସେ ଭବାନୀପଟଣାର ବଡ଼ପଡ଼ାରେ ୧୯୪୪ ମସିହା ଜାନୁଆରୀ ୩ ତାରିଖରେ ଜନ୍ମ ହୋଇଥିଲେ। ୧୯୬୭ରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ବାୟୁସେନାରୁ ଅବସର ନେଇ ସେ ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ୧୯୯୦ ମସିହାରେ ସେ ଜନତା ଦଳ ଟିକେଟ୍‌ରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅଜିତ ଦାସଙ୍କ ମୃତ୍ୟୁ ଖବର ପାଇବା ପରେ କଳାହାଣ୍ଡି ଜିଲ୍ଲାରେ ଶୋକରଛାୟା ଖେଳି ଯାଇଛି। ବିଭିନ୍ନ ବର୍ଗର ଲୋକେ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.