ଦୁଇଟି ଯାକ କିଡନୀ ଖରାପ, ଲୋଡା ୧୦ ଲକ୍ଷ : ସହାୟତା ଲୋଡିଲେ ଅନିଲଙ୍କ ସ୍ତ୍ରୀ ନିବେଦିତା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଜିଲ୍ଲା ଡେରାବିଶ ବ୍ଲକ ରଘୁଦେଇପୁର ଗାଁର ଅନୀଲ ପତି । ବୟସ ୩୬ ମାତ୍ର । ପେଶାରେ ଇଲେକ୍ଟ୍ରି କାମ କରନ୍ତି ଅନିଲ । ବେଶ ହସଖୁସିରେ ଚାଲିଥିଲା ପରିବାର । ହେଲେ ହଠାତ ପରିବାର ଉପରେ ଘୋଟି ଆସିଲା କଳାବାଦଲ । ଦୁଇଟି ଯାକ କିଡନୀ ଖରାପ ହେବାରୁ ଶଯ୍ୟାଶାୟୀ ହୋଇଛନ୍ତି ଅନିଲ । ଆଉ ଅଭାବୀ ପରିବାର ଉପରେ ଦାଉ ସାଜିଛି ରୋଗ । ଚିକିତ୍ସା ପାଇଁ ଲୋଡା ୧୦ ଲକ୍ଷ ଟଙ୍କା । ଯାହା ଯୋଗାଡ କରିବା ପରିବାର ପକ୍ଷେ ସମ୍ଭବ ନୁହେଁ । ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ କାକୁତିମିନତି ହୋଇ ସହାୟତା ଲୋଡିଛନ୍ତି ଅନିଲଙ୍କ ସ୍ତ୍ରୀ ନିବେଦିତା ।
ଅନିଲଙ୍କ ପରିବାର କହିଲେ ମାଆ, ସ୍ତ୍ରୀ ଓ ୭ ବର୍ଷର ଝିଅ । ଇଲେକ୍ଟ୍ରି କାମ କରି ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ବେଶ ହସଖୁସିରେ ଚାଲିଥିଲା । ହଠାତ ଅନିଲ ଦିନେ ଅସୁସ୍ଥ ହେବାକୁ ଲାଗିଲେ । ପରୀକ୍ଷା କରିବା ପରେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର । ଦିନେ ଯିଏ ଥିଲେ ଚଳ ଚଞ୍ଚଳ ଆଜି ସେ ଗୋଟିଏ ସ୍ଥାନରେ ବସିଛନ୍ତି । ଏକମାତ୍ର ରୋଜଗାରିଆ ପୁଅ ଶଯ୍ୟାଶାୟୀ ହୋଇଥିବାବେଳେ ପରିବାରରେ ଚୁଲି ଜଳିବା କଷ୍ଟକର ହୋଇଛି । ସେପଟେ ଜଲଦି କିଡନୀ ପ୍ରତ୍ୟାରୋପଣ ନ କରାଗଲେ ଅନିଲଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ଡାକ୍ତର । ଅନିଲଙ୍କ ଚିକିତ୍ସା ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କା ଦରକାର । ଏହାଛଡା ଔଷଧ ବାବଦକୁ ମାସିକ ୮ ହଜାର ଖର୍ଚ୍ଚ ହେଉଛି । ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚିନ୍ତାରେ ପଡିଛି ପରିବାର । ଯାହା କିଛି ଥିଲା ସବୁ ବିକ୍ରି କରିବା ପରେ ଅର୍ଥ ଯୋଗାଡ ହୋଇପାରୁନାହିଁ । ଅନୀଲଙ୍କ ସ୍ତ୍ରୀ ଏବେ ହାତପାତି ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଛନ୍ତି ।

ବାରମ୍ବାର କଟକ ଯାଇ ଡାକ୍ତର ଦେଖାଇ ଫେରିବା ପରେ ସ୍ୱଳ୍ପ ସଞ୍ଚିତ ଅର୍ଥ ମଧ୍ୟ ଶେଷ ହୋଇ ଗଲାଣି । ଏବେ ନିଜ ଚିକିତ୍ସା ସହ ପରିବାର ପ୍ରତିପୋଷଣ କରିବା ଅନୀଲଙ୍କ ପାଇଁ ଏକ ଜଟିଳ ପ୍ରଶ୍ନ ହୋଇ ଛିଡାହୋଇଛି । ୩ମାସ ଧରି ମେଡ଼ିକାଲରେ ରହି ଚିକିତ୍ସା ହୋଇ ସେ ଏବେ ଘରକୁ ଫେରିଛନ୍ତି । କିଭଳି ପରିବାର ଚଳିବ ସେ ନେଇ ଚିନ୍ତାରେ ପରିବାର । ସରକାରଙ୍କ ପକ୍ଷରୁ ମିଳୁଥିବା ଚାଉଳ ଏବଂ ମାଆଙ୍କର ବିଧବା ଭତ୍ତା ଏତିକି ହିଁ ବର୍ତ୍ତମାନ ପାଇଁ ସମ୍ବଳ ଆଉ ରୋଜଗାର । କିନ୍ତୁ ଏବେ ନିଜର ୨ ଗୋଟି କିଡନି ପ୍ରତ୍ୟାରୋପଣ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ କାଠିକର ପାଠ ହୋଇ ପଡିଛି । ଅନିଲଙ୍କ ଚିକିତ୍ସା ଲାଗି ଆର୍ଥିକ ସାହାଯ୍ୟ ପାଇଁ ତାଙ୍କ ପରିବାର ଆକୁଳ ନିବେଦନ କରିଛନ୍ତି । ଶଯ୍ୟାଶାୟୀ ଅନୀଲ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ବର୍ତ୍ତମାନ ସ୍ଥିତିରେ ସରକାରୀ ହେଉ ବା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଏକମାତ୍ର ଭରସା । ପରିବାରର ଏ ଘଡିସନ୍ଧି ମୂହୂର୍ତ୍ତରେ ଆର୍ଥିକ ସହାୟତା ମିଳିଲେ ପୁଣି ହସି ଉଠିବ ଅନୀଲଙ୍କ ପରିବାର ।

Leave A Reply

Your email address will not be published.