ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସ୍ଥିତି ସମୀକ୍ଷା ବୈଠକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଭିସି ଜରିଆରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି , ଦେଶରେ କୋଭିଡ ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ମେଡିକାଲରେ ଭର୍ତ୍ତି ସଂଖ୍ୟା ବହୁତ କମ ରହିଛି । ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ।ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରକେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ ।

ଏହାବାଦ ବୈଠକରେ ଭୁବନେଶ୍ୱର, କଟକ ମହାନଗର ନିଗମର କମିଶନର ଦ୍ୱୟ ଓ ସମ୍ବଲପୁର ସୁନ୍ଦରଗଡ ଜିଲ୍ଲାପାଳ ସେମାନଙ୍କ ଅଞ୍ଚଳର ସ୍ଥିତି ସଂପର୍କରେ ଅବଗତ କରିଥିଲେ । କୋଭିଡ ନିୟମ ଅନୁପାଳନର କଡାକଡି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.