ଇସାରା ଇସାରାରେ ହେଇଗଲା ପ୍ରେମ, ବାହାହେଲେ ଦୁଇ ମୁକ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):କେବଳ ଓଠ ପ୍ରେମର ଭାଷା କହେନି । ଆଖି ବି କହିପାରେ ଅନକେ କିଛି । ବ୍ୟକ୍ତ କରିପାରେ ହୃଦୟର ଭାବନା, ମନକୁ ଆସୁଥିବା ଉନ୍ମାଦନା । ଆଉ ସେଇ ଆଖିର ଇସାରାରେ ଏକାଠି ହୋଇଛନ୍ତି ୨ଜଣ ପ୍ରେମପକ୍ଷୀ । ଉଭୟ ପିଲାଟି ଦିନରୁ ମୁକ । କିଛି ସିନା କହି ପାରନ୍ତି ନାହିଁ କିନ୍ତୁ ଠାରରେ ଠାରରେ ସବୁ ବଖାଣିପାରନ୍ତି । ଆଉ ସେହି ଠାରର ଭଲ ପାଇବା ପାଇଛି ବିବାହ ସ୍ୱୀକୃତି । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବଟ ଗାଁର ଗୌତମ ଦାସ ଭୁବନେଶ୍ୱର ଜଟଣୀ ମୁକ ବଧିର ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ଆଉ ସେଠାରେ ରହି ପାଠ ପଢୁଥିବା ବୌଦ୍ଧ ଜିଲ୍ଲାର ବଡ଼ା ଗାଁର ଗୀତାଞ୍ଜଳିଙ୍କ ସହ ଗୌତମଙ୍କ ଦେଖା । ଆଉ ସେଇଠୁ ଆରମ୍ଭ ହୁଏ ଉଭୟଙ୍କ ମଧ୍ୟରେ ଭଲ ପାଇବା । ଠରା ଠରିର ପ୍ରେମ ଏବେ ସ୍ୱାମୀ, ସ୍ତ୍ରୀର ସମ୍ପର୍କରେ ପରିଣତ ହୋଇଛି ।

ବନ୍ଧୁ ବାନ୍ଧବଙ୍କ ଗହଳିରେ ଗୀତାଞ୍ଜଳିଙ୍କୁ ବାହା ହୋଇଛନ୍ତି ଗୌତମ । ସାତ ଜନମର ସାଥୀ ହେବା ନେଇ ଦେଇଛନ୍ତି ପ୍ରତିଶ୍ରୁତି । ଜଣେ ଦିବ୍ୟାଙ୍ଗଙ୍କ ମଥାରେ ଆଉ ଜଣେ ଦିବ୍ୟାଙ୍ଗ ପିନ୍ଧାଇଛନ୍ତି ସିନ୍ଦୂର । ଉଭୟଙ୍କ ବିବାହକୁ ନେଇ ପରିବାରର ସଦସ୍ୟ ବି ଖୁସିବ୍ୟକ୍ତ କରିଛନ୍ତି । ଉଭୟ ନୂଆ ଜୀବନ ଆରମ୍ଭ କରିଥିବା ବେଳେ ସମସ୍ତେ ପ୍ରଶଂସା କରୁଛନ୍ତି । କୁହାଯାଏ ମନ ଯୋଡ଼ି ହୋଇଗଲେ ସଂସାର ସୁନ୍ଦର ଦେଖା ଯାଏ । ଏଠି ମନ ସହ ମନ ମିଶିଯିବା ପରେ ସବୁକିଛି ବେଶ୍ ସୁନ୍ଦର ଦେଖାଯାଉଛି ।

Leave A Reply

Your email address will not be published.