ଏକମୋ ମେସିନ୍‌ କ’ଣ? ଏହା କିଭଳି କାମ କରେ?

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ଏକମୋ ହେଉଛି ଏକ୍ସଟ୍ରା କର୍ପୋରିଆଲ ମେମ୍ବେନ ଅକ୍ସିଜେନେସନ ମେସିନ୍‌ । ଏହାର ଅର୍ଥ ହେଲା ଆମ ଶରୀରର ରକ୍ତକୁ ବାହାରକୁ ଆଣି ତାହା ପରିଷ୍କାର କରିବା ପରେ ପୁଣିଥରେ ଅମ୍ଳଜାନ ସହିତ ଶରୀରକୁ ଛାଡ଼ିବା । ଅତି ସହଜ ଭାଷାରେ କହିବାକୁ ଗଲେ ଏହା ହେଉଛି ଏକ କୃତ୍ରିମ ଫୁସଫୁସ୍‌ ।

କୋଭିଡ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ବ୍ୟବହାର ହେଉଛି ଏକ୍‌ମୋ ଚିକିତ୍ସା । ଏଥିରେ ରୋଗୀଙ୍କ ରକ୍ତ ବାହାରକୁ ଅଣାଯାଇ ତାକୁ ମେସିନ୍ ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି। ପରେ ପୁଣି ଏହା ଶରୀର ଭିତରକୁ ଫେରିଯାଉଛି । ଏହା କୃତ୍ରିମ ପ୍ରକ୍ରିୟା, ଏଥିରେ ଶରୀରର ଅକ୍ସିଜେନକୁ ସାମୟିକ ଭାବେ ମେଣ୍ଟେନ କରିହେବ।

ଏହା ବ୍ୟୟବହୁଳ ଚିକିତ୍ସା। ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ଲକ୍ଷ ଟଙ୍କା ଦରକାର ପଡୁଛି। ପରେ ଚିକିତ୍ସା ଜାରି ରଖିବାକୁ ଦିନକୁ ୧ ଲକ୍ଷରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଗରୁ ଫୁସଫୁସ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା। କୋଭିଡ ସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି, ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ଏକ୍‌ମୋ ଚିକିତ୍ସା ଆଵଶ୍ୟକ ହେଉଛି। ତେବେ ସାମୟିକ ଭାବେ ଏକ୍‌ମୋ ମେସିନ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଭାବେ ଜୀବନ ରକ୍ଷାକାରୀ ଚିକିତ୍ସା ।

ବର୍ତ୍ତମାନ ଅଧିକାଂଶ କୋଭିଡ ରୋଗୀଙ୍କ ଫୁସଫୁସ ସଂକ୍ରମିତ ହୋଇ ଅକାମି ହୋଇପଡ଼ୁଛି । ହଠାତ୍‌ ଅମ୍ଳଜାନ ସ୍ତର କମିଯାଉଛି । ଏଣୁ ଏହି ମେସିନର ଆବଶ୍ୟକତା ଯଥେଷ୍ଟ ବଢିଯାଇଛି ।  ରୋଗୀଙ୍କ ପାଇଁ ଏହି ମେସିନ୍‌ ଫୁସଫୁସ ଭଳି କାମ କରିବ । ଓଡ଼ିଶାର କୌଣସି ସରକାରୀ ମେଡିକାଲ କଲେଜରେ ଏହି ମେସିନ ନଥିଲା । ଏବେ କଟକ ଏସସିବି ମେଡିକାଲ ପାଇଁ ଏକମୋ ମେସିନ କ୍ରୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ଯାହା ବର୍ତ୍ତମାନ ପରିସ୍ଥିତିରେ ନିହାତି ଆବଶ୍ୟକ ।

କରୋନା ପୂର୍ବରୁ ଏହାର ଉପଯୋଗିତା କମ ଥିଲା। ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି, ଟେଣ୍ଡର ସରିଛି । ଭାରତରେ ଏହି ମେସିନ ଉତ୍ପାଦନ ହେଉନି। ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.